Spread the love

ଗୌହ୍ବାଟୀ : ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି ଦେଖାଦେଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏକ ରେଳ ବ୍ରିଜ କ୍ଷତିଗ୍ରସ୍ତ ଯୋଗୁଁ ଏକ ଅଞ୍ଚଳକୁ ରେଳ ସଂଯୋଗ ଶେଷ ହୋଇଛି । ବନ୍ୟା ଯୋଗୁଁ ୬ଟି ଜିଲ୍ଲାରେ ପ୍ରାୟ ୨୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ସହ କଥା ହୋଇଛନ୍ତି । ବନ୍ୟା ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ହିମନ୍ତ ବିଶ୍ବଶର୍ମା ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧେମାଜି ବନ୍ୟା ସ୍ଥିତି ପଚାରି ବୁଝିଥିବାରୁ ଧନ୍ୟବାଦ ଦେଉଛି । ମୁଁ ତାଙ୍କୁ ଏଠାରେ ଚାଲିଥିବା ଉଦ୍ଧାର ଏବଂ ପୁର୍ନବାସ ଉପାୟ ବିଷୟରେ ସୂଚନା ଦେଇଛି । ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଭରସା ଦେଇଛନ୍ତି ।

ଆସାମ ଏବଂ ପଡୋଶୀ ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଧେମାଜି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆସାମ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଧେମାଜି, ନଲବାଡି, ଡିବ୍ରୁଗଡ଼, ଚିରାଙ୍ଗ, ଲକ୍ଷ୍ମୀପୁର ଓ କୋକରାଝାର ଜିଲ୍ଲାରେ ମୋଟ ୨୨,୧୨୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ବନ୍ୟା ପରିସ୍ଥିତି ଯୋଗୁଁ ଲଗାତାର ସ୍ଥିତି ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *