ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ । ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ଇରାନର ମିସାଇଲ୍ ଓ ଡ୍ରୋନ୍ କେନ୍ଦ୍ର ଉପରେ ଆମେରିକା ହମଲା କରିଛି । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ, ଆମେରିକା ସେନା ଇରାନର ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଡାର୍ ପୋଷ୍ଟଗୁଡ଼ିକ ଉପରେ ଏୟାରଷ୍ଟ୍ରାଇକ କରିଛି । ‘ଏଭର୍ ଲଭ୍ ଲି’ ନାମକ ଏକ ସିଙ୍ଗାପୁର-ପତାକାଧାରୀ ମାଲବାହୀ ଜାହାଜ ଓମାନ ଉପକୂଳ ଦେଇ ହର୍ମୁଜ୍ ପ୍ରଣାଳୀରୁ ବାହାରୁଥିବା ସମୟରେ ଚାରୋଟି ଆତ୍ମଘାତୀ ଆଟାକ ଡ୍ରୋନ୍ ଦ୍ୱାରା ଏହାକୁ ଟାର୍ଗେଟ୍ କରାଯାଇଥିଲା । ତିନୋଟି ଡ୍ରୋନକୁ ଅଟକାଯାଇଥିଲା, କିନ୍ତୁ ଗୋଟିଏ ଜାହାଜର ଉପରିଭାଗରେ ମାଡ଼ ହୋଇଥିଲା । ଜାହାଜର ସାମାନ୍ୟ କ୍ଷତି ହୋଇଛି ।
ମେଆମେରିକା ବାୟୁସେନାର ଛଅଟି F-35 ଏବଂ F-16 ଯୁଦ୍ଧବିମାନ ୯୦ ମିନିଟର ଏକ ଅପରେସନ୍ ଚଲାଇ ଇରାନର ଚାରୋଟି ପ୍ରମୁଖ ସ୍ଥାନ ଉପରେ ଆକ୍ରମଣ କରିଥିଲେ । ଦକ୍ଷିଣ ଇରାନର ବନ୍ଦର ସହର ସିରିକ୍ ଏବଂ କେଶମ ଦ୍ୱୀପ ନିକଟରେ ଥିବା ସାମରିକ ଘାଟିକୁ ଏହି ଏୟାରଷ୍ଟ୍ରାଇକରେ ମୁଖ୍ୟତଃ ଟାର୍ଗେଟ୍ କରାଯାଇଥିଲା । ଆମେରିକାର ଏୟାରଷ୍ଟ୍ରାଇକ ପରେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC) ତୁରନ୍ତ ପ୍ରତିଶୋଧମୂଳକ ଆକ୍ରମଣ ଘୋଷଣା କରିଛି । ଆମେରିକୀୟ ସେନା ମୁତୟନ ଥିବା ଆଞ୍ଚଳିକ ସାମରିକ ପ୍ରତିଷ୍ଠାନଗୁଡ଼ିକୁ IRGC ଟାର୍ଗେଟ୍ କରିଛି । ଆଉ ଚେତାବନୀ ଦେଇଛି, ଆମେରିକା ପୁଣି ଆକ୍ରମଣ କଲେ ଏହାର ବଡ଼ ଜବାବ ଦିଆଯିବ । ଅନ୍ୟପଟେ ଇରାନର ଆକ୍ରମଣକୁ ମୁର୍ଖାମୀ ବୋଲି କହିଛନ୍ତି ଟ୍ରମ୍ପ । ସାନି ଉତ୍ତେଜନା ପରେ ବିପଦରେ ଶାନ୍ତି ଚୁକ୍ତି ।