ଭୁବନେଶ୍ୱର: ସମାଜରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ଏକ ସ୍ୱାଭାବିକ ଏବଂ ସମ୍ମାନଜନକ ଜୀବନ ଜିଇବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୁରସ୍କାର ରାଶି ଘୋଷଣା କରାଯାଇଛି।
ଏହି ଯୋଜନା ଅଧୀନରେ କୌଣସି ଜଣେ ସାଧାରଣ ବ୍ୟକ୍ତି ଜଣେ ଭିନ୍ନକ୍ଷମଙ୍କୁ ବିବାହ କଲେ, ସେହି ନବଦମ୍ପତିଙ୍କୁ ସରକାରଙ୍କ ତରଫରୁ ୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ମେଗା ଯୋଜନାର ସଫଳ ରୂପାୟନ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ଏକ ନୂତନ ଓ କଡ଼ା ଗାଇଡ୍ଲାଇନ୍ ଜାରି କରିଛନ୍ତି।
ସରକାରଙ୍କ ପକ୍ଷରୁ ପ୍ରକାଶିତ ନୂତନ ନିୟମାବଳୀ ଅନୁଯାୟୀ, ଆବେଦନକାରୀମାନଙ୍କୁ ନିମ୍ନଲିଖିତ ସର୍ତ୍ତ ପୂରଣ କରିବାକୁ ପଡ଼ିବ:
-
ଅକ୍ଷମତାର ପ୍ରମାଣ: ବିବାହ କରୁଥିବା ଦମ୍ପତିଙ୍କ ମଧ୍ୟରୁ ଯେକୌଣସି ଜଣେ (ପତି କିମ୍ବା ପତ୍ନୀ) ଅତିକମରେ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମ ହୋଇଥିବା ଆବଶ୍ୟକ ଏବଂ ସେମାନଙ୍କ ପାଖରେ ବୈଧ UDID କାର୍ଡ ଥିବା ଜରୁରି।
-
ବୟସ ସୀମା: ବିବାହ ସମୟରେ ବରର ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ କନ୍ୟାର ବୟସ ଅତିକମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ। ଆବେଦନ ପାଇଁ ସର୍ବାଧିକ ବୟସ ସୀମା ୬୦ ବର୍ଷ ଧାର୍ଯ୍ୟ କରାଯାଇଛି।
-
ଓଡ଼ିଶାର ବାସିନ୍ଦା: ଉଭୟ ପତି ଓ ପତ୍ନୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
-
ଯୌତୁକ ମୁକ୍ତ ବିବାହ: ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି, ସମ୍ପୃକ୍ତ ବିବାହଟି ସମ୍ପୂର୍ଣ୍ଣ ରୂପେ ଯୌତୁକ ମୁକ୍ତ ହୋଇଥିବା ଉଚିତ। ଆବେଦନ ସମୟରେ ଏନେଇ ଏକ ସ୍ୱତନ୍ତ୍ର ଘୋଷଣାନାମା ଦେବାକୁ ପଡ଼ିବ।