Spread the love

ରାୟଗଡ଼ା: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି। ପିଲା ଚୋର ସନ୍ଦେହ ଓ ମିଥ୍ୟା ଗୁଜବକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦୁଇଜଣ ସମାଜସେବୀ (ଏନ୍‌ଜିଓ କର୍ମୀ)ଙ୍କୁ ସ୍ଥାନୀୟ ଉତ୍ତ୍ୟକ୍ତ ଭିଡ଼ ଅତି ବର୍ବର ଭାବେ ଆକ୍ରମଣ କରିଛନ୍ତି।

ବିଶେଷ କରି ଦିଲ୍ଲୀରୁ ଆସିଥିବା ଜଣେ ମହିଳା ଛାତ୍ରୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦେବା ସହ ତାଙ୍କ ସହକାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଗତ ଜୁନ୍ ୧୬ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଏହି ସ୍ପର୍ଶକାତର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ମୋହନ ମାଝୀ ସରକାରଙ୍କୁ ତୀବ୍ର ଟାର୍ଗେଟ୍ କରିଛନ୍ତି।

ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବ ପ୍ରଫେସନାଲ ଜଣେ ଦିଲ୍ଲୀର ଯୁବତୀ ଓ ଅନ୍ୟ ଜଣେ ଗୁଜରାଟର ଯୁବକ ଓଡ଼ିଶାର ଏକ ପ୍ରତିଷ୍ଠିତ ଏନ୍‌ଜିଓ ସହ ଜଡ଼ିତ ରହି ଜନଜାତି ଅଞ୍ଚଳରେ ଫେଲୋସିପ୍ କରୁଥିଲେ। ସେମାନେ କନ୍ଧମାଳର ଦାରିଙ୍ଗବାଡ଼ିରୁ ଏକ ସ୍କୁଟର ଯୋଗେ କଳାହାଣ୍ଡିର ଥୁଆମୂଳ ରାମପୁର ଫେରୁଥିଲେ। ଅଜଣା ଅଞ୍ଚଳ ହୋଇଥିବାରୁ ସେମାନେ ରାସ୍ତା ପାଇଁ ଗୁଗୁଲ୍ ମ୍ୟାପ୍‌ର ସହାୟତା ନେଇ କଲ୍ୟାଣସିଂହପୁରର କାନ୍ଦୁଲଗୁଡ଼ା ଗ୍ରାମ ଭିତରକୁ ପଶିଯାଇଥିଲେ। ସେଠାରେ ରାସ୍ତା ପଚାରିବା ସହ ପିଲାମାନଙ୍କୁ ବିସ୍କୁଟ୍ ବାଣ୍ଟିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ‘ପିଲା ଚୋର’ କହି ଗୁଜବ ସୃଷ୍ଟି କରିଥିଲେ।

ଯୁବତୀ ଜଣକ ନିଜର ବୈଧ ପରିଚୟ ପତ୍ର ଦେଖାଇ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ କିଛି ଶୁଣିନଥିଲେ। ମୋଟରସାଇକେଲରେ ପିଛା କରି ବିଲ ମଝିରେ ସେମାନଙ୍କ ଗାଡ଼ିକୁ ଓଲଟାଇ ଦେଇଥିଲେ। ଏହାପରେ ଶତାଧିକ ଲୋକଙ୍କ ଭିଡ଼ ଯୁବତୀଙ୍କ ଚୁଟି ଟାଣି, ଡ୍ରେସ ଚିରି ଅତି ଅମାନୁଷିକ ଭାବେ ନିର୍ଯାତନା ଦେଇଥିଲେ। ସ୍ଥାନୀୟ ଜଣେ ଗାଡ଼ି ଚାଳକ ଓ ପୋଲିସ ନିଜ ଜୀବନକୁ ବାଜି ଲଗାଇ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆକ୍ରମଣ ଏତେ ଭୟାବହ ଥିଲା ଯେ ଭିଡ଼ ପୋଲିସ ଗାଡ଼ି ପଛେ ପଛେ ମେଡିକାଲ ପର୍ଯ୍ୟନ୍ତ ଗୋଡ଼ାଇଥିଲା।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି। ଭିଡିଓ ଫୁଟେଜ୍ ଆଧାରରେ ପ୍ରତିଟି ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ବିରୋଧରେ ମହିଳା ନିର୍ଯାତନା ଓ ଦଙ୍ଗା ସୃଷ୍ଟି ଭଳି କଠୋର ଦଫା ଲଗାଯାଇଛି ବୋଲି ରାୟଗଡ଼ା ଏସପି ରାଜ ପ୍ରସାଦ କହିଛନ୍ତି।

ରାୟଗଡ଼ାର ଏହି ଲୋମହର୍ଷଣକାରୀ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନବୀନ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, “ରାୟଗଡ଼ାରେ ଦିଲ୍ଲୀର ଜଣେ ଛାତ୍ରୀଙ୍କ ସହ ଘଟିଥିବା ଏହି ବର୍ବରୋଚିତ ଘଟଣା ସମଗ୍ର ଓଡ଼ିଶାକୁ ଲଜ୍ଜିତ ଓ ଚିନ୍ତିତ କରିଛି। ଦିନଦ୍ୱିପ୍ରହରରେ ସର୍ବସାଧାରଣରେ ଏଭଳି କାଣ୍ଡ ଘଟିବା ସରକାରଙ୍କ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷାର ବିକଳ ଚିତ୍ରକୁ ପଦାରେ ପକାଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ନୀରବତା ଆଶ୍ଚର୍ଯ୍ୟଜନକ।”

ଅପରପକ୍ଷରେ, ପ୍ରଦେଶ କଂଗ୍ରେସ ମଧ୍ୟ ସରକାରଙ୍କ ବିଫଳତା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଆଖି ଓ ପାଟିରେ କଳା କପଡ଼ା ବାନ୍ଧି ପ୍ରତିବାଦ ସଭା କରିଛନ୍ତି। ଓପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ମୋହନ ମାଝୀ ସରକାର ରାଜ୍ୟରେ ଆଇନର ଶାସନ ବଜାୟ ରଖିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଛନ୍ତି। ନିକଟରେ ଭୁବନେଶ୍ୱରରେ ମଧ୍ୟ ଜଣେ ପୋଲିସ କନଷ୍ଟେବଳଙ୍କୁ ସମାନ ଢଙ୍ଗରେ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ଏବେ ସାମାଜିକ କର୍ମୀଙ୍କ ଉପରେ ଏଭଳି ଆକ୍ରମଣ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *