Spread the love

ଭୁବନେଶ୍ୱର : ଭତ୍ତା ବନ୍ଦକୁ ନେଇ ଓଡ଼ିଶା ରାଜନୀତି ଗରମ ! । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଭତ୍ତା ନମିଳିବାରୁ ମୃତ୍ୟୁ ଅଭିଯୋଗ । ଗରିବଙ୍କ ଭତ୍ତା ପାଇଁ ଟେକ୍ନୋଲୋଜି ବାହାନା ଚଳିବନି । ରାଜ୍ୟରେ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ ୧୮ ଲକ୍ଷ ଗରିବ ଓ ଅସହାୟ ଲୋକଙ୍କୁ ବିଗତ ୩ ମାସ ହେବ ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଏହାକୁ ସରକାରଙ୍କ ବଡ଼ ବିଫଳତା ବୋଲି ଦର୍ଶାଇବା ସହ ତୁରନ୍ତ ଏହାର ସମାଧାନ ପାଇଁ ସେ ଦାବି କରିଛନ୍ତି ।

ନବୀନ ପଟ୍ଟନାୟକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନେ ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ଭତ୍ତା ଉପରେ ନିର୍ଭର କରନ୍ତି । ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ଅନେକ ପରିବାର ଦୁର୍ଦ୍ଦଶା ଏବଂ ଅନାହାର ସ୍ଥିତିକୁ ଠେଲି ହୋଇଯାଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସାବିତ୍ରୀ ଡୋରା ନାମକ ଜଣେ ମହିଳା ଭତ୍ତା ନପାଇ ମୃତ୍ୟୁବରଣ କରିଥିବା ଭଳି ଏକ ଦୁଃଖଦ ଘଟଣାକୁ ସେ ଚିଠିରେ ଦୋହରାଇଛନ୍ତି । ସରକାର ସଫ୍ଟୱେୟାର୍ ଜନିତ ସମସ୍ୟାର ଦର୍ଶାଉଥିବା ବେଳେ ନବୀନ ଏହାକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, “କୌଣସି ବୈଷୟିକ ତ୍ରୁଟି ଆଳରେ ଗରିବ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜର ୨୪ ବର୍ଷର ଶାସନ କାଳର ରେକର୍ଡ ମନେ ପକାଇ କହିଛନ୍ତି ଯେ, ତାଙ୍କ ସରକାର ସମୟରେ ପ୍ରତି ମାସ ୧୫ ତାରିଖକୁ “ଜନ ସେବା ଦିବସ” ଭାବେ ପାଳନ କରାଯାଇ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତାର ସହ ଭତ୍ତା ବଣ୍ଟନ କରାଯାଉଥିଲା । ଯେଉଁମାନେ ଆସିପାରୁନଥିଲେ, ସେମାନଙ୍କୁ ଘରକୁ ଯାଇ ଭତ୍ତା ଦିଆଯାଉଥିଲା । ଏହି ମଡେଲକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ । ହିତାଧିକାରୀଙ୍କ ସମ୍ମାନ ରକ୍ଷା ପାଇଁ ବିଜେଡି ସରକାର ସମ୍ପୂର୍ଣ୍ଣ ବ୍ୟାଙ୍କ ବ୍ୟବସ୍ଥାକୁ ବିରୋଧ କରିଥିଲା । ସଫ୍ଟୱେୟାରକୁ ଅପେକ୍ଷା ନକରି ତୁରନ୍ତ ମାନୁଆଲ୍ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ବାକି ଭତ୍ତା ପ୍ରଦାନ କରାଯାଉ । ଏଭଳି ସାଙ୍ଘାତିକ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଭବିଷ୍ୟତରେ ଯେପରି ଗରିବଙ୍କ ଅଧିକାର ସହ କୌଣସି ବୁଝାମଣା ନହୁଏ, ସେଥିପାଇଁ ସରକାର ହିତାଧିକାରୀଙ୍କୁ ଆଶ୍ୱାସନା ଦିଅନ୍ତୁ ।

Leave a Reply

Your email address will not be published. Required fields are marked *