Spread the love

କଦଳୀଗଡ : ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ ରେଢାଖୋଲ ଥାନା ସାନ ନୂଆପଡା ଗାଁ ପୀଢ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଜଣକ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଟାପୁରସିଙ୍ଗା ଗାଁର ନରେନ୍ଦ୍ର ପ୍ରଧାନ ବୋଲି ଜଣା ପଡିଛି। ଆଜି ସକାଳୁ ସାନ ନୂଆପଡା ଗ୍ରାମବାସୀ ପୀଢ ନିକଟରେ ନରେନ୍ଦ୍ରଙ୍କ ମୃତଦେହ ପଡିଥିବା ଦେଖିଥିଲେ। ମୃତ ଶରୀରର ପାରିପାର୍ଶ୍ବିକ ଅବସ୍ଥା ଓ ନିକଟରେ ହାତୀ ପାଦଚିହ୍ନ ହାତୀ ଆକ୍ରମଣରେ ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ସୁଚନା ଅନୁଯାଇ ଗତ କିଛିଦିନ ହେବ ଗୋଟିଏ ଆକ୍ରମଣାତ୍ମକ ଗୋଠଛଡା ଦନ୍ତା ସମଗ୍ର ଅଞ୍ଚଳରେ ଘୁରିବୁଲି ଆତଙ୍କ ଖେଳାଇ ଚାଲିଥିବା ଖବର ସାମ୍ନାକୁ ଆସିଥିଲା। ମଣିଷକୁ ଦେଖିବା ମାତ୍ରେ ହାତୀଟି ମାରିବାକୁ ଗୋଡାଉଥିଲା। ଗତ ରାତିରେ ହାତୀଟି ସାନ ନୂଆପଡା, ବଡ କସିବାହାଳ ଓ ଆଖପାଖ ଅଞ୍ଚଳରେ ବୁଲି ଉପଦ୍ରବ କରୁଥିଲା। ଏହି ହାତୀ ହିଁ ନରେନ୍ଦ୍ରଙ୍କୁ କଚାଡି ମାରି ଥାଇ ପାରେ। କୌଣସି କାମରେ ସେ ଆସି ରାତିରେ ଘରକୁ ଫେରୁଥିଲା ବେଳେ ହାତୀ ହାବୁଡରେ ପଡିଥାଇ ପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ଘଟଣାସ୍ଥଳରେ ରେଢାଖୋଲ ପୁଲିସ ଓ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *