ରାୟଗଡ଼ା: ପିଲା ଚୋର ସନ୍ଦେହରେ ଜଣେ ଯୁବତୀ ଓ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ୨ଜଣଙ୍କୁ ଆକ୍ରମଣ ହୋଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଆକ୍ରମଣର ଶିକାର ଉଭୟ ଯୁବକ ଯୁବତୀ ଅଣ ଓଡ଼ିଆ ହୋଇଥିବା ବେଳେ ସେମାନେ ଏକ NGO ପାଇଁ କାମ କରନ୍ତି ।
ସୂଚନା ଅନୁସାରେ ଯୁବକ ଏବଂ ଯୁବତୀ ଦୁହେଁ କନ୍ଧମାଳ ଦାରିଙ୍ଗିବାଡିରୁ କଳାହାଣ୍ଡି ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ । ଇନ୍ତାଲିଗୁଡ଼ା ଠାରେ ସ୍ଥାନୀୟ ବାସିନ୍ଦା ଯୁବକ ଏବଂ ଯୁବତୀଙ୍କୁ ଅଟକାଇ ସେମାନଙ୍କୁ ଆକ୍ରମଣ କରିଥିଲେ । ପରିଚୟପତ୍ର ଦେଖାଇବା ପରେ ମଧ୍ୟ ସ୍ଥାନୀୟ ଲୋକ ସନ୍ତୁଷ୍ଟ ହୋଇନଥିଲେ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ୨ଜଣ । ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଏନେଇ ତଦନ୍ତ ଚଳାଇଛନ୍ତି ।