ପୁରୀ: ତୁଟିଲା ବିବାଦ, ଚାଲିଲା ରଥକାମ। ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣାମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଟଳିଛି। 58 ଦିନରେ ଆଜି ପ୍ରାୟ ତିନି ଘଣ୍ଟା ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ପରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ରଥଖଳା। ମହାରଣା ମାନଙ୍କର ଦୁଇ ଦାବିକୁ ମାନିବାକୁ ପ୍ରତିଶ୍ରୁତି ପରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ହୋଇ ନିଷ୍ପତ୍ତି ପରେ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବ କହିଛନ୍ତି ବିଶ୍ୱକର୍ମା ମହାରଣା। ଦାବି ନମାନିଲେ ଆଗକୁ ମଧ୍ୟ କାର୍ଯ୍ୟ ବନ୍ଦ୍ କରିବାକୁ ଚେତାବନୀ ଦେଇଛନ୍ତି ତିନି ରଥର ମୁଖ୍ୟ ମହାରଣା। ତେବେ ତିନି ରଥର ମୁଖ୍ୟ ମହାରଣାଙ୍କୁ ଗତ 15 ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ନୋଟିସକୁ ନେଇ ହୋଇଥିଲା ବିବାଦ। ନୋଟିସ ଅନୁଯାୟୀ 4 ଫୁଟ ଲମ୍ବ ଓ 3 ଫୁଟ ଗୋଲେଇରୁ ଉର୍ଦ୍ଧ୍ବ ଗୋଟା ଓ ସାଇଜ କାଠ ମୁଖ୍ୟ ମହାରଣା ମାନେ ପ୍ରଶାସନରୁ ଧାର୍ଯ୍ୟ ମୂଲ୍ୟ ବିନିମୟରେ ହସ୍ତାନ୍ତର କରିବେ ବୋଲି ଉଲ୍ଲେଖ ହୋଇଥିଲା। 4 ଫୁଟରୁ କମ୍ କାଠକୁ ଇଛା କଲେ ମହାରଣା ମାନେ ପ୍ରାପ୍ୟ ହିସାବରେ ଗ୍ରହଣ କରିବେ କିମ୍ବା ମୂଲ୍ୟ ବିନିମୟରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିପାରିବେ ବୋଲି ଉଲ୍ଲେଖ ରହିଥିଲା।