ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ହୃଦୟ ବଦାରକ ଘଟଣା । ମେଜା ଥାନା ଅର୍ନ୍ତଗତ କୁକରକଟୱା ଗାଁରେ ଗୋଟିଏ ପରିବାର ୩ ଜଣ ଲୋକଙ୍କୁ ହତ୍ୟା କରାଯାଇଛି । ମଙ୍ଗଳବାର ସକାଳେ ଗାଁ ଲୋକ ଘର ବାହାରେ ରକ୍ତ ଦେଖିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଖବର ମୁତାବକ, ଗାଁରେ ଥିବା ଏହି ପରିବାରର ଅଧିକାଂଶ ପୁରୁଷ ଲୋକ ରୋଜଗାର ପାଇଁ ଅନ୍ୟ ରାଜ୍ୟରେ ରୁହନ୍ତି । ଅମରାବତୀ ଦେବୀଙ୍କ ସ୍ବାମୀ ନେବ୍ବୁ ଲାଲ ରାଜସ୍ଥାନରେ ରହି କାମ କରୁଛନ୍ତି । ଆଉ ଇନ୍ଦ୍ରବାତୀ ଦେବୀଙ୍କ ସ୍ବାମୀଙ୍କ ଦୁଧନାଥଙ୍କ ପୂର୍ବରୁ ପରଲୋକ ହୋଇଛି । ଘରେ ପୁରୁଷ ଲୋକ ନଥିବାରୁ ଏହାର ଫାଇଦା ଉଠାଇ ଏଭଳି କାଣ୍ଡ ଘଟାଇଛନ୍ତି ।
ମୃତକଙ୍କ ପରିଚୟ ମିଳିଛି । ୬୫ବର୍ଷୀୟ ଶ୍ୟାମଲାଲ ଗୁପ୍ତା, ୫୫ ବର୍ଷୀୟ ଅମରାବତୀ ଦେବୀ ଏବଂ ୫୦ ବର୍ଷୀୟ ଇନ୍ଦ୍ରାବତୀ ଦେବୀ ଭାବେ ଜଣାପଡିଛି । କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ତେବେ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି, ତାହା ଏଯାଏଁ ଜଣାପଡିନାହିଁ ।
ସ୍ଥାନୀୟ ପୋଲିସ ସହିତ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ ସଂପୂର୍ଣ୍ଣ ଘଟଣାସ୍ଥଳକୁ ସିଲ୍ କରିଛି । ସାକ୍ଷୀ ପ୍ରମାଣ ଖୋଜିବା ପାଇଁ ଫରେନ୍ସିକ ଏବଂ ଡଗ୍ ସ୍କ୍ବାଡ୍ ଟିମ୍ ଡକାଯାଇଛି । ପୋଲିସ ମୃତକ ସଂପର୍କୀୟ ଏବଂ ପଡୋଶୀଙ୍କୁ ପଚରାଉଚରା କରୁଛି ।