ଭୁବନେଶ୍ୱର : ଅନୁଭବ-ବର୍ଷା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ !। ପୂର୍ବତନ ସାଂସଦଙ୍କ ଆବେଦନ ଉପରେ ଜବାବ ମାଗିଲେ ସର୍ବୋଚ୍ଚ ଅଦାଲତ । ବର୍ଷାଙ୍କ ନିର୍ଯାତନା ମାମଲା ରଦ୍ଦ କରିବାକୁ ହୋଇଥିଲା ଆବେଦନ । ଓଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ହାଇପ୍ରୋଫାଇଲ୍ ପାରିବାରିକ ବିବାଦ ଏବେ ସୁପ୍ରିମକୋର୍ଟରେ ପହଂଚିଛି ।
ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ବର୍ଷାଙ୍କ ଦ୍ୱାରା ରୁଜୁ ହୋଇଥିବା ଅପରାଧିକ ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କରିଥିବା ଆବେଦନ ଉପରେ କୋର୍ଟ ଏହି ଜବାବ ତଲବ କରିଛନ୍ତି। ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ସ୍ପେଶାଲ ଲିଭ୍ ପିଟିସନର ଶୁଣାଣି କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୩୦ରେ ଓଡ଼ିଶା ହାଇକୋର୍ଟ ଅନୁଭବଙ୍କ ମାମଲା ରଦ୍ଦ ଆବେଦନକୁ ଖାରଜ କରିବା ସହ ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଥିଲେ।
ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଅନୁଭବ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀ କଟକର ପୁରୀଘାଟ ଥାନାରେ ଏକ ଏତଲା ଦେଇଥିଲେ। ୨୦୨୦ ଡିସେମ୍ବର ୧୮ରେ ଅନୁଭବ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ବର୍ଷାଙ୍କୁ କଟକ ନନ୍ଦୀସାହିସ୍ଥିତ ଶ୍ୱଶୁର ଘରେ ଏକ ରୁମରେ ତାଲା ପକାଇ ରଖିଥିବା ଅଭିଯୋଗ ହୋଇଥିଲା। ଏହାସହ ତାଙ୍କୁ ମାନସିକ ନିର୍ଯାତନା ଦେବା, ଜବରଦସ୍ତି ତାଙ୍କ ରୁମରେ ପଶି ଭିଡିଓ ସୁଟିଂ କରିବା ଏବଂ ତାଙ୍କ ସମ୍ମାନକୁ ହାନି ପହଞ୍ଚାଇବା ଭଳି ଗମ୍ଭୀର ଅଭିଯୋଗ ହୋଇଥିଲା।
ଏହି ଆଧାରରେ ତଳ କୋର୍ଟରେ ଆଇପିସି ଧାରା ୪୯୮A, ୫୦୯, ୩୪୧, ୨୯୪ ଏବଂ ୫୦୬ ଅଧୀନରେ ଚାର୍ଜଫ୍ରେମ କରାଯାଇଥିଲା। ଅନୁଭବଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ଏହି ଅପରାଧିକ ମାମଲା କେବଳ ତାଙ୍କୁ ହଇରାଣ ହରକତ କରିବା ଏବଂ ବିବାହ ବିଚ୍ଛେଦ ଲଢ଼େଇରେ ଚାପ ପକାଇବା ଉଦ୍ଦେଶ୍ୟରେ କରାଯାଇଛି। ତାଙ୍କ କହିବା ଅନୁଯାୟୀ, ଏହି ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।