ଆସାମ : ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ଭାରତୀୟ ଏୟାର ଫୋର୍ସ । ଆଜି ଅବତରଣ ବେଳେ ବାୟୁସେନାର AN-32 ବିମାନ କ୍ରାସ୍ କରିଥିଲା ।
ବିମାନଟି ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏୟାରବେସ୍ ପରିସର ମଧ୍ୟରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲା । ଧକ୍କା ହେବା ମାତ୍ରେ ବିମାନଟିରେ ଭୟାବହ ନିଆଁ ଲାଗିଯାଇଥିଲା । ଘଟଣା ଘଟିବା ସଙ୍ଗେ ସଙ୍ଗେ ଏୟାରବେସର ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବା ଦଳ ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିଛନ୍ତି । ବାୟୁସେନାର ବରିଷ୍ଠ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।
AN-32 କାର୍ଗୋ ବିମାନ, ଯାହାର ବ୍ୟବହାର ସୈନ୍ୟ ଜିନିଷ ଏବଂ ଜରୁରୀ ସାମଗ୍ରୀ ନେବା ଆଣିବା ପାଇଁ ବ୍ୟବହାର କରାଯାଏ । ଚୀନ୍ ସୀମା ନିକଟରେ ଚାଲିଥିବା ଭାରତୀୟ ସେନାର ବିଭିନ୍ନ ଅପରେସନ ପାଇଁ ଆସାମର ଜୋରହାଟ ଏୟାରବେସ୍ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଗୁଆ ସାମରିକ ଘାଟି ଭାବେ କାର୍ଯ୍ୟ କରେ ।
ସୂଚନାଯୋଗ୍ୟ, ୨୦୧୯ରେ ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଅଭିମୁଖେ ଉଡ଼ାଣ ଭରିଥିବା ଏକ AN-32 ବିମାନ ପାହାଡ଼ିଆ ଅଞ୍ଚଳରେ କ୍ରାସ୍ ହୋଇଥିଲା । ବିମାନରେ ଥିବା ସମସ୍ତ ୧୩ ଜଣ ବାୟୁସେନା ସଦସ୍ୟ ସହିଦ ହୋଇଥିଲେ । ୨୦୧୬ରେ ବଙ୍ଗୋପସାଗର ଉପରେ ୨୯ ଜଣ ସଦସ୍ୟଙ୍କୁ ନେଇ ଯାଉଥିବା AN-32 ବିମାନ ନିଖୋଜ ହୋଇଯାଇଥିଲା ।