Spread the love

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଜାରକୁ ପୁଣି ଥରେ ମୋଷ୍ଟ ୱାଂଟେଡ ତାଲିକାରେ ସ୍ଥାନ ଦେଇଛି ପାକିସ୍ତାନ । ତାକୁ ଧରିଦେଲେ ବା ତା ସମ୍ପର୍କିତ ଖବର ଦେଲେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ପାକିସ୍ତାନ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ) ଘୋଷଣା କରିଛି । ଆସନ୍ତା ଅକ୍‌ଟୋବର ମାସରେ ଆନ୍ତର୍ଜାତିକ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ବୈଠକ ହେବାକୁ ଥିବା ବେଳେ ପାକିସ୍ତାନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି ।
ଏହା ପୂର୍ବରୁ ଅର୍ଥାତ ୨୦୨୧ ମସିହାରେ ମଧ୍ୟ ପାକିସ୍ତାନ ସରକାର ମାସୁଦକୁ ଧରିବା ପାଇଁ ୫୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଏହାକୁ କେବଳ ଧର୍ମକୁ ଆଖିଠାର ବୋଲି ଭାରତ ପକ୍ଷରୁ କୁହାଯାଇଛି । ମାସୁଦ ପାକିସ୍ତାନରେ ଅଛି । ପାକିସ୍ତାନ ସରକାର ଜାଣିକି ବି ତାକୁ ଘଂଟ ଘୋଡାଉଛନ୍ତି ବାଲି ଭାରତ ଦାବି କରିଆସୁଅଛି ।
ଆତଙ୍କବାଦୀ ମାସୁଦ ଆଜାରର ଆତଙ୍କୀ ତାଲିକା ବେଶ୍ ଲମ୍ବା । ୨୦୧୬ ପଠାନକୋଟ ବିମାନ ଘାଟି ଉପରେ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ଘଟଣାରେ ସେ ମାଷ୍ଟର ମାଇଣ୍ଡ ଥିଲା । ଏଥିସହ ଭାରତୀୟ ସଂସଦ ଉପରେ ଆକ୍ରମଣ ତା ନିର୍ଦ୍ଦେଶରେ ହିଁ କରାଯାଇଥିଲା । ଏପରି ଜଣେ କୁଖ୍ୟାତ ଆତଙ୍କବାଦୀକୁ ନିଜ ଦେଶରେ ଶରଣ ଦେଇଥିବା କାରଣରୁ ପାକିସ୍ତାନକୁ ବିଶ୍ୱବ୍ୟାପୀ ନିନ୍ଦିତ ହେବାକ ପଡିଥିଲା । ଏଫଏଟିଏଫ ଏହି କାରଣରୁ ପାକିସ୍ତାନକୁ ପୂର୍ବରୁ କଳା ତାଲିକାଭୁକ୍ତ କରିଥିଲା । ତେବେ ୨୦୨୧ରେ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରେ ଏଫଏଟିଏଫ ଗତ ୨୦୨୨ ଅକ୍‌ଟୋବରରେ ଅନୁଷ୍ଠିତ ଏହାର ବୈଠକରେ ପାକିସ୍ତାନ ଉପରୁ ପୂର୍ବ କଟକଣା ହଟାଇ ନେଇଥିଲା । ଆସନ୍ତା ଅକ୍‌ଟୋବର ମାସରେ ଏଫଏଟିଏଫର ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବାରୁ ପାକିସ୍ତାନ ପୁଣିଥରେ ଆନ୍ତର୍ଜାତିକ ସମୁଦାୟ ଆଗରେ ନିଜ ଚାଲ୍ ଖେଳିବାକୁ ଯାଉଛି ।

କିଏ ଏହି ମାସୁଦ ଆଜାର?
ମାସୁଦ ଆଜାର ହେଉଛି ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା । ଜୈସ-ଇ-ମହମ୍ମଦକୁ ଆମେରିକା ଓ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି । ୧୯୯୪ ମସିହା ଜାନୁୟାରୀ ୨୯ ତାରିଖରେ ଆଜାର ପ୍ରଥମ ଥର ପାଇଁ ଢାକାରୁ ବିମାନ ଯୋଗେ ଭାରତ ଆସି ଶ୍ରୀନଗରକୁ ପ୍ରବେଶ କରିଥିଲା । ଭାରତୀୟ ବୋଲି ଏକ ଜାଲ ପ୍ରମାଣପତ୍ର ସେ ହାସଲ କରିବାରେ ସଫଳ ହୋଇଥିଲା । କିଛି ଆତଙ୍କୀ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ଥିଲା ତା ଭାରତ ଆଗମନର ଉଦ୍ଦେଶ୍ୟ । ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଭିଯୋଗରେ ଶ୍ରୀନଗର ପୁଲିସ ତାକୁ ଅନନ୍ତନାଗରୁ ଗିରଫ କରିଥିଲା । ୧୯୯୫ ମସିହାରେ ଜମ୍ମୁ କାଶ୍ମୀରରୁ ୬ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ମୁଣ୍ଡ ଜାମିନ ରଖିବା ସହ ମାସୁଦକୁ ମୁକ୍ତ କରିବାକୁ ଦାବି କରିଥିଲେ, ଯାହାକୁ ଭାରତ ସରକାର ଅଗ୍ରାହ୍ୟ କରିଦେଇଥିଲେ ।

୧୯୯୯ ବିମାନ ଅପହରଣ:
୧୯୯୯ ମସିହା ଡିସେମ୍ବର ୨୪ ତାରିଖ ଦିନ କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସୁଥିବା ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରି ଆଫଗାନିସ୍ଥାନର କାନ୍ଦାହାର ବିମାନ ବନ୍ଦରକୁ ନେଇ ଯାଇଥିଲେ । ଏହା ଅପହର୍ତାମାନଙ୍କ ମଧ୍ୟରେ ମାସୁଦର ଭାଇ ମଧ୍ୟ ସାମିଲ ଥିଲା । ବିମାନ ଯାତ୍ରୀମାନଙ୍କ ମୁକ୍ତି ବଦଳରେ ମାସୁଦ ଆଜରକୁ ମୁକ୍ତ କରିବାକୁ ଆତଙ୍କବାଦୀମାନେ ସର୍ତ ରଖିଥିଲେ । ସର୍ତ ମୁତାବକ ଭାରତ ସରକାର ମାସୁଦ ଆଜାରକୁ କାନ୍ଦାହାରଠାରେ ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିଥିଲେ । ତା ପରେ ଆଜାର ପାକିସ୍ତାନ ଚାଲି ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ସେବେଠୁ ଏଯାଏ ଆଜାର ପାକିସ୍ତାନରେ ରହୁଥିଲେ ମଧ୍ୟ ସେଠାକାର ସରକାର ଏହାକୁ ଅସ୍ୱୀକାର କରି ଚାଲିଛନ୍ତି । ମାସୁଦ ଆଜାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘରେ ଯେତେଥର ଭାରତ ପ୍ରୟାସ କରିଛି, ତାକୁ ଭିଟୋ ମାଧ୍ୟମରେ ଚୀନ କାଟ୍ କରିଦେଇଛି ।

ଅପରେସନ ସନ୍ଦୂରରେ ଆଜାର ପରିବାରର ୧୦ ମୃତ!
ପେହେଲଗାମ ଆକ୍ରମଣ ଘଟଣା ପରେ ପରେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂର ଆକ୍ରମଣରେ ମାସୁଦ ନିଜ ପରିବାରର ୧୦ ଜଣଙ୍କୁ ହରାଇଥିବା ଭାରତୀୟ ସେନା ଦାବି କରିଛି । ଭାରତର ଘନଘନ ଆକ୍ରମଣ ପରେ ବାହାୱାଲପୁରଠାରେ ଥିବା ଆଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହାଫଳରେ ତା ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ସେଦିନ ଘରେ ନ ଥିବା କାରଣରୁ ଆଜର ଅଳ୍ପକେ ବର୍ତି ଯାଇଥିଲା । ଏକଥା ଆଜାର ନିଜେ ମଧ୍ୟ ସ୍ୱୀକାର ମଧ୍ୟ କରିଛି ।

Leave a Reply

Your email address will not be published. Required fields are marked *