ଢେଙ୍କାନାଳ ୧୨।୬: ଢେଙ୍କାନାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପେଟ୍ରୋଲ ଢାଳି ହୋଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଯିବାବେଳେ ଉଭୟଙ୍କୁ ସୁରକ୍ଷିତ ଭାବେ ପୋଲିସ କାବୁ କରି ନେଇଛି । ତାଙ୍କ ଠାରୁ ପେଟ୍ରୋଲ ବୋତଲକୁ ପୋଲିସ ଜବତ କରିଥିବା ବେଳେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ଉଭୟେ ବିପଦ ମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଆତ୍ମାହୁତି ଉଦ୍ୟମ କରିଥିବା ବାପ-ପୁଅ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଧୀନରେ ଥିବା ରାଣୀପାଳ ଗ୍ରାମର ବାପା ପଦ୍ମନାଭ ରାଉତ ଏବଂ ପୁଅ ସରୋଜ ରାଉତ ବୋଲି ଜଣାପଡିଛି ।
ପଦ୍ମନାଭ ରାଉତଏବଂ ସରୋଜ ରାଉତଙ୍କର ତାଙ୍କ ଭାଇଆଳିଆଙ୍କ ସହିତ ତାଙ୍କର ପୈତୃକ ଜମି ଜମାକୁ ନେଇ ଗଣ୍ଡଗୋଳ ରହିଥିବା ବେଳେ ଭାପୁର ଫାଣ୍ଡିରେ ମାମଲା ରହିଛି । ତେବେ ମାମଲାରେ ଭାପୁର ଫାଣ୍ଡି ପୋଲିସ ଏମାନଙ୍କ ଗୁହାରି ନଶୁଣି ପକ୍ଷପାତିତା କରୁଥିବା ଅଭିଯୋଗ ଉଠାଇଛନ୍ତି । ସଠିକ୍ ନ୍ୟାୟ ନପାଇ ଶୁକ୍ରବାର ତାଙ୍କ ପରିବାର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଆସି ଆତ୍ମାହୁତି ଦେବାର ନିଷ୍ପତ୍ତି ନେଇଥିବା ସରୋଜଙ୍କ ମା’ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରଥମେ ସେମାନେ ଆସିଥିବା ବେଳେ ଏମାନଙ୍କ ଅଭିଯୋଗ ଶୁଣାଯିବ ଓ ତଦନ୍ତ କରାଯାଇ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଅଭିନବ ସୋନକର ପ୍ରକାଶ କରିଛନ୍ତି ।