Spread the love

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ବର୍ଷ ପୂର୍ଣ୍ଣ ହୋଇଛି। ରାଜ୍ୟ ସରକାର ନିଜର ସଫଳତା ବଖାଣୁଥିଲେ ମଧ୍ୟ ଏହା ନିଜର ଦୋଷଦୁର୍ବଳତାକୁ ଘୋଡ଼ାଇବାର ଏକ ବାହାନା ବୋଲି କଂଗ୍ରେସ ଆକ୍ଷେପ କରିଛି। କେବଳ ଏହାନୁହେଁ ଦୁଇ ବର୍ଷ ମଧ୍ୟ‌ରେ ରାଜ୍ୟର ବିଭିନ୍ନ ଥାନାରେ ୧୧ଟି ହାଜତ ମୃତ୍ୟୁର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କଂଗ୍ରେସ ମୁଖ୍ୟପାତ୍ର ମନୋରଞ୍ଜନ ଦାଶ ଓ ପୂର୍ବତନ ମନ୍ତ୍ରୀ ଡ ପଞ୍ଚାନନ କାନୁନଗୋ ଦାବି କରିଛନ୍ତି।
ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ କାନୁନଗୋ କହିଛନ୍ତି, ରାଜ୍ୟବାସୀଙ୍କ ମଙ୍ଗଳ ସହିତ ସୁରକ୍ଷା ଦେବା ପ୍ରତ୍ୟେକ ସରକାରର କାର୍ଯ୍ୟ ଓ ଦାୟିତ୍ୱ l ଗତ ୨୪ ମାସରେ ୧୧ ଗୋଟି ହାଜତ ମୃତ୍ୟୁ ସମ୍ପର୍କରେ ମକଦ୍ଦମା ଆରମ୍ଭ ହୋଇଛି l ଆହୁରି ୧୩ ଟି ଅଭିଯୋଗ, ପୁଲିସ ମାଡ଼ରେ ମୃତ୍ୟୁ, ସରକାରୀ ଅଫିସରଙ୍କ ଘରେ ଆତ୍ମହତ୍ୟା, ପୁଲିସ ଉପସ୍ଥିତିରେ ହତ୍ୟା ଲୋକଲୋଚନକୁ ଗଣମାଧ୍ୟମ ଜରିଆରେ ଆସିଛି l ଏହି ଘଟଣାରେ ଗୃହ ବିଭାଗ, ପୁଲିସ ବିଭାଗ ମୁଖ୍ୟଙ୍କୁ ଅଭିଯୁକ୍ତ ଆସାମୀ ଭାବରେ ଗ୍ରହଣ କରାଯିବ ନା ନାହିଁ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ ପଚାରିଛନ୍ତି। ସମସ୍ତ ହାଜତ ମୃତ୍ୟୁପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଅଭିଯୁକ୍ତ l ସେ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ l ଭାରତୀୟ ନ୍ୟାୟ ସଂହିତା ବିଏନ୍‌ଏସ୍‌ ର ଧାରା ୧୦୧, ୩୪୧, ୬୧ ଅନୁସାରେ ତାଙ୍କ ବିରୋଧରେ ମକଦ୍ଦମା ଚାଲୁହେବା ଦରକାର ବୋଲି ସେ କହିଛନ୍ତି।
ଏହାର କୈଫିୟତ ମୁଖ୍ୟମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ ଅବା ଆଡ଼ଭୋକେଟ ଜେନେରାଲ ଦିଅନ୍ତୁ ବୋଲି ଶ୍ରୀ କାନୁନଗୋ ଦାବୀ କହିଛନ୍ତି l ଉପସ୍ଥିତ ପିସିସି ବରିଷ୍ଠ ମୁଖପାତ୍ର ଶ୍ରୀ ଦାଶ କହିଲେ ବିଜେପି ସରକାର ଆସିବା ପରଠୁ ପୁଲିସ ପ୍ରଶାସନର ମଣିଷ ପଣିଆ, ମାନବିକତା ପୁରାପୁରି ଧୋଇ ଗଲାଣି l ଏବଂ ସରକାର କେଉଁ କ୍ଷେତ୍ରରେ କଣ ଉପଲବ୍ଧି ପାଇଛନ୍ତି ପ୍ରଥମେ ତାହା ଲୋକଙ୍କୁ ଦେଖାନ୍ତୁ ଓ ପରେ ଉତ୍ସବ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *