Spread the love

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ଶ୍ରୀଚନ୍ଦନ ଦାସ । ସେ ତାଙ୍କ ବାପା ଭରତ ଦାସଙ୍କ ସହ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟ ବାସୁଳେଇ ଗ୍ରାମରେ ରହୁଥିଲା ବେଳେ ତାଙ୍କ ଘର ଡେରାବିଶ ବ୍ଲକ ଅଧିନ ରାଇତୁଣ୍ଡି ଗ୍ରାମରେ।ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଶ୍ରୀଚନ୍ଦନଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେ ତାଙ୍କ ଜମି ବିକ୍ରି କରିବାକୁ ଚାହୁଁଥିଲେ।ସେ ଜଣେ ଅନୁସୂଚିତ ଜାତିର ଯୁବକ ହୋଇଥିବାରୁ ତାଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ସେ ଗତ ଦୁଇ ବର୍ଷ ହେବ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ। ବିଭିନ୍ନ ଲୋକଙ୍କ ଜମିର କିସମ ପରିବର୍ତ୍ତନ ହେଉଥିବା ବେଳେ ତାଙ୍କ ଜମିର କିସମ ପରିବର୍ତ୍ତନ କରିବା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣୀମାନେ ତାଙ୍କୁ ଟଙ୍କା ମାଗୁଥିଲେ।

ହେଲେ ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଲାଞ୍ଚ ଦେବା ପାଇଁ ସକ୍ଷମ ହେଉ ନଥିଲେ।ଫଳରେ ସେ ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହାଦ୍ୱାରା ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ। ବାରମ୍ବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୈାଡି ନିରାଶ ହେବା ପରେ ସେ ଶେଷରେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟର ଉପର ମହଲାକୁ ଯିବାକୁ ଥିବା ଷ୍ଟିଲ ରେଲିଂରେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଜିଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଅନ୍ୟ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳକୁ ଆସିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଟାଉନ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେହିପରି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ହେଲେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିନାହିଁ । ଏ ସଂକ୍ରାନ୍ତରେ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁ କରି ଉପଯୁକ୍ତ ତଦନ୍ତ କରୁଥିବା ଥାନାଧିକାରୀ ଶୁଭେନ୍ଦୁ ସାହୁ ଗଣମାଧ୍ୟମକୁ କହିଛନ୍ତି । ଏ ନେଇ ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ କହିଛନ୍ତି ପ୍ରଶାସନିକ ଅଧିକାରୀଙ୍କ ପାଇଁ ଜଣେ ଦଳିତ ଯୁବକଙ୍କ ଜୀବନ ଚାଲିଗଲା । ସେ ଅନେକ ଥର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ତାଙ୍କ ଅଭିଯୋଗ ଦେଇଥିଲେ । ଉପଜିଲାପାଳଙ୍କ କୋର୍ଟରେ ତାଙ୍କ ମାମଲା ବିଚାରଧିନ ଥିଲା । ଦୀର୍ଘଦିନ ଧରି ସେ ନ୍ୟାୟ ପାଇଁ ଦୌଡୁଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଫଳରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ତାଙ୍କୁ ପ୍ରଶାସନିକ ଅଧିକାରୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀମତୀ ସେଠୀ କହିଛନ୍ତି । ମତାମତ ନେବା ପାଇଁ ଉପଜିଲାପାଳ ଅରୁଣ କୁମାର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନଥିଲା ।

Leave a Reply

Your email address will not be published. Required fields are marked *