Spread the love

ଭୁବନେଶ୍ୱର : ଦିଲ୍ଲୀରେ ଅଦଳବଦଳ ପରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ସମ୍ଭାବନା ।  ଚର୍ଚ୍ଚା ହେଉଛି ଜୁନ ୨୨ ତାରିଖ ପରେ କୌଣସି ସମୟରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ।  ଜୁନ ୧୭-୧୮ରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳର ରୂପରେଖ ବଦଳିପାରେ ।  ଜୁନ ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜୁନ ୨୧ ରହିଛି ଯୋଗ ଦିବସ ।  ଏହା ପରେ ମନ୍ତ୍ରିମଣ୍ଡଳ ସମ୍ପର୍କରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହାକୁ ନେଇ କସରତ ଆରମ୍ଭ ହୋଇଯାଇଛି ।  କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ ।  ସେଠାରୁ ଗ୍ରୀନ ସିଗନାଲ ମିଳି ସାରିଛି ।  ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ ୬ଟି ପଦବୀ ଖାଲି ପଡ଼ିଛି ।

ଚର୍ଚ୍ଚା ହେଉଛି ୬ରୁ ୮ ଜଣ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ।  କାର୍ଯ୍ୟଦକ୍ଷତା ଓ ଆନୁଗତ୍ୟକୁ ମୁଖ୍ୟ ମାନଦଣ୍ଡ ଭାବେ ବିଚାର କରାଯାଉଛି। ମନ୍ତ୍ରୀମାନଙ୍କୁ ସେମାନଙ୍କ ରିପୋର୍ଟ କାର୍ଡ ଦେବାକୁ କୁହାଯାଇଛି। ସଫଳତା, ଉପଲବ୍ଧି ଓ ଭବିଷ୍ୟତ ଯୋଜନା ବିଷୟରେ ରିପୋର୍ଟ କାର୍ଡ ଦାଖଲ କରୁଛନ୍ତି ମନ୍ତ୍ରୀ। ୨-୩ ଜଣ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସରିଛି ।  ମୁଖ୍ୟମନ୍ତ୍ରୀ ନିଜେ ଏହି ରିପୋର୍ଟର ସମୀକ୍ଷା କରୁଛନ୍ତି ଏହାସହ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା ଚାଲିଛି ।  ସମସ୍ତଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା ହେଉଛି ।  ଜୁନ୍ ୯ ତାରିଖ ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଶେଷ ହେବ ।  ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ସମୀକ୍ଷା ଆଧାରରେ କିଛି ନୂଆ ମୁହଁକୁ ସ୍ଥାନ ମିଳିପାରେ। ଏହାସହ କିଛି ମନ୍ତ୍ରୀଙ୍କ ବିଭାଗ ବଦଳି ପାରେ।

ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ବଡ ଦାୟୀତ୍ବ ମିଳିପାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ । କୁହାଯାଉଛି ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳର ଶୀର୍ଷ ନେତୃତ୍ୱ ଚର୍ଚ୍ଚା ଆଲୋଚନା କରୁଛନ୍ତି ।  ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।  ତେଣୁ ଅନୁଭବ ଓ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ବଡ ଦାୟିତ୍ବ ଦେବାକୁ ଦଳ ବିଚାର ବିମର୍ଶ କରୁଛନ୍ତି ।  ସେହିଭଳି ଆଉ ଜଣେ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ମିଳିପାରେ। ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ପାରନ୍ତି ।  ପୂର୍ବରୁ ମେଣ୍ଟ ସରକାରରେ ମଧ୍ଯ ସେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।  ବିରୋଧୀ ଦଳ ନେତା ଭାବେ ମଧ୍ଯ କାର୍ଯ୍ୟ କରିଛନ୍ତି। ଏଥିପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ଅନ୍ୟତମ ଦାବିଦାର ଅଛନ୍ତି ।  ଏହି ଦୁଇ ଜଣଙ୍କ ବ୍ୟତୀତ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଉପାସନା ମହାପାତ୍ର, ସଞ୍ଜଳି ମୁର୍ମୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *