ଦେବଗଡ : ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ଚଢେଇମରା ଗ୍ରାମର ଚାଷୀ ପ୍ରଫୁଲ୍ଲ ବେହେରା (୫୫) ବୋଲି ଜଣାପଡିଛି। ହାତୀ ଆକ୍ରମଣରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଚଢେଇମରା ଗ୍ରାମର ସ୍ୱର୍ଗତଃ କଡୁ ବେହେରାଙ୍କ ପୁଅ ପ୍ରଫୁଲ୍ଲ ବେହେରା ଗତକାଲି ଅପରାହ୍ନରେ ନିକଟସ୍ଥ ଗରାମ ଜଙ୍ଗଲକୁ ଯାଇଥିବା ବେଳେ ଆଜି ୭ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରଫୁଲ୍ଲଙ୍କର ସନ୍ଧାନ ମିଳିନଥିଲା। ଅନ୍ୟପକ୍ଷରେ କିଛିଦିନ ହେଲା ନିକଟସ୍ଥ ଚଢେଇମରା ଜଙ୍ଗଲରେ ବହୁ ସଂଖ୍ୟକ ହାତୀ ବିଚରଣ କରୁଥିବାରୁ କୌଣସି ଅଘଟଣ ଘଟିଥିବା ଆଶଙ୍କା କରିବା ସହ ଏନେଇ ଗ୍ରାମବାସୀ ଓ ବନ ବିଭାଗର ସହାୟତା ଲୋଡିଥିଲେ। ଆଜି ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀମାନେ ମିଳିତ ଭାବେ ଉକ୍ତ ଜଙ୍ଗଲ ମଧ୍ୟରେ ଖୋଜାଖୋଜି କରିବାରୁ ସେଠାରେ ପ୍ରଫୁଲ୍ଲଙ୍କର କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। କୁଣ୍ଢେଇଗୋଳା ଫରେଷ୍ଟର ମନ୍ମଥ ବେହେରା ଓ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପ୍ରକ୍ରୀୟା ଆରମ୍ଭ କରିଥିବା ଜଣାପଡିଛି। ପ୍ରଫୁଲ୍ଲଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସେଠାରେ ଶତାଧିକ ଜନସାଧାରଣ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରେ ଚାପା ଉତେଜନା ପ୍ରକାଶ ପାଇଛି।