ୱାସିଂଟନ: ଇରାନ-ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତାବିତ ୬୦ ଦିନର । ଯୁଦ୍ଧବିରତି ଚୁକ୍ତିନାମାକୁ ନେଇ ଆଜି ଦ୍ୱିପାକ୍ଷିକ ବୟାନବାଜି ତୀବ୍ର ହୋଇଛି। ଆମେରିକା ପ୍ରଶାସନ ଏବଂ ଇରାନର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଏହି ବହୁପ୍ରତୀକ୍ଷିତ ଶାନ୍ତି ପ୍ରକ୍ରିୟା ଉପରେ ପରସ୍ପର ବିରୋଧୀ ମତ ପ୍ରକାଶ ପାଇଛି। ହ୍ୱାଇଟ ହାଉସ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିଥିଲେ ହେଁ, ଇରାନର ଆଭିମୁଖ୍ୟ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୂଡ଼ାନ୍ତ ସ୍ୱାକ୍ଷର ଉପରେ ହିଁ ସମଗ୍ର ଚୁକ୍ତିର ଭବିଷ୍ୟତ ନିର୍ଭର କରୁଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଚୁକ୍ତିନାମାର ସ୍ଥିତି ସମ୍ପର୍କରେ କହିଛନ୍ତି ଯେ ଯୁଦ୍ଧବିରତିକୁ ଆଗକୁ ବଢ଼ାଇବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ବହୁତ ଭଲ ପ୍ରଗତି ହୋଇଛି। ଚୁକ୍ତିର କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଉପରେ ଫଏସଲା ହୋଇପାରୁ ନଥିବାରୁ ଏହାକୁ ରାଷ୍ଟ୍ରପତି ଟ୍ରମ୍ପ ଚୂଡ଼ାନ୍ତ ମଂଜୁରି ଦେଇନାହାନ୍ତି। ଆଲୋଚନା ଏବେ ବି ଜାରି ରହିଛି ଏବଂ ଏହା ଚୂଡ଼ାନ୍ତ ହୋଇନାହିଁ ବୋଲି ସେ କହିଛନ୍ତି।