ତାମିଲନାଡୁ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏକ ଅପିଲ୍ କରିଛନ୍ତି । କପା ଉପରେ ୧୧ ପ୍ରତିଶତ ଆମଦାନୀ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । କପା ସାମଗ୍ରୀର ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ରାଜ୍ୟର ବୟନ ଏବଂ ପୋଷାକ କ୍ଷେତ୍ର ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ।
ଚିଠିରେ ସିଏମ୍ ବିଜୟ କହିଛନ୍ତି ଯେ, କପା ଏବଂ ସୂତା ମୂଲ୍ୟରେ ବୃଦ୍ଧି ପୋଷାକ ନିର୍ମାତାଙ୍କ ଉପରେ ପ୍ରବଳ ଚାପ ପକାଇଛି । ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବିକାକୁ ବିପଦରେ ପକାଇଛି । ତାମିଲନାଡୁକୁ ଭାରତର ସର୍ବବୃହତ ବସ୍ତ୍ର ଏବଂ ପୋଷାକ ରପ୍ତାନିକାରୀ ରାଜ୍ୟ । ଏହି ଶିଳ୍ପ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛି ।
ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, କପା ଏବଂ ସୂତାର ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧି ଯୋଗୁଁ ତାମିଲନାଡୁର ବୟନ ଏବଂ ପୋଷାକ ଶିଳ୍ପ ଏକ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି । ଗତ ୨ ମାସରେ କପା ମୂଲ୍ୟ ପ୍ରତି କ୍ୟାଣ୍ଡି ୫୪,୭୦୦ ରୁ ୬୭,୭୦୦କୁ ବୃଦ୍ଧି ପାଇଛି, ଯାହା ପ୍ରାୟ ୨୫ ପ୍ରତିଶତ ବୃଦ୍ଧି । ସୂତା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୩୦୧ ରୁ ୩୩୦କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ଏହି ବୃଦ୍ଧି ମୁଖ୍ୟତଃ ଘରୋଇ କପା ଉତ୍ପାଦନ ହ୍ରାସ ଏବଂ ସାରା ଦେଶରେ ବାଣିଜ୍ୟ କାର୍ଯ୍ୟକଳାପ ବୃଦ୍ଧି ପାଇବା ଯୋଗୁଁ ହୋଇଛି ।