କୋଲକାତା : ‘ପୂର୍ବତନ ମୁଖ୍ୟମନ୍ତ୍ରୀ’ ନୁହେଁ, ମୁଖ୍ୟମନ୍ତ୍ରୀ । ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ସୋସିଆଲ ମିଡିଆ Xରେ ବାୟୋ ବଦଳାଇଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖି ନାହାନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ଲେଖାଯାଇଛି । ଏଥିରେ ଏକ ରାଜନୈତିକ ସଂଦେଶ ଦେଇଛନ୍ତି ମମତା ବାନାର୍ଜୀ ।
ଯାହା ତାଙ୍କ ପୁରୁଣା ଜିଦ୍ କୁ ପୁଣି ସାମ୍ନାକୁ ଆଣିଛି । “ପୂର୍ବତନ ମୁଖ୍ୟମନ୍ତ୍ରୀ” ବଦଳରେ ତାଙ୍କର ନୂଆ ବାୟୋରେ ଏବେ ଲେଖାଅଛି:”ସର୍ବଭାରତୀୟ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଭାନେତ୍ରୀ ଏବଂ ତଳ ଧାଡ଼ିରେ ଲେଖାଅଛି ମୁଖ୍ୟମନ୍ତ୍ରୀ, ପଶ୍ଚିମବଙ୍ଗ । ସେ ନିଜ କାର୍ଯ୍ୟକାଳର ନିର୍ଦ୍ଦିଷ୍ଟ ବିଧାନସଭା ୧୫ଶ, ୧୬ଶ ଏବଂ ୧୭ଶ ବିଷୟରେ ଉଲ୍ଲେଖ କରି “ପୂର୍ବତନ” ଶବ୍ଦକୁ ବ୍ୟବହାର କରିନାହାନ୍ତି ।
ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ବର୍ତ୍ତମାନର ସରକାରଙ୍କ ବୈଧତାକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର ନକରିବା ତାଙ୍କର ଏହି ପଦକ୍ଷେପର ଏକ ସଙ୍କେତ । ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ପରେ ସେ ଏହି ପରିବର୍ତ୍ତନ କରିଛନ୍ତି ।
ନିର୍ବାଚନରେ “ଭୋଟ୍ ଜାଲିଆତି” ଅଭିଯୋଗ କରି ମମତା ଏହି ପରାଜୟକୁ ସହଜରେ ଗ୍ରହଣ କରିନାହାନ୍ତି । ଏପରିକି ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ସେ କିଛି ଦିନ ପାଇଁ ନିଜ ନାଁ ଆଗରେ “ମାନ୍ୟବର ମୁଖ୍ୟମନ୍ତ୍ରୀ” ବ୍ୟବହାର କରୁଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ସେ ଇସ୍ତଫା ଦେଇନଥିଲେ ।