ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବର୍ଷାରେ ଭାଙ୍ଗିଛି ଘର ତ କେଉଁଠି ପବନରେ ଉଡ଼ିଲାଣି ଚାଳଛପର। ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଜୋରରେ ପବନ ସହ ବର୍ଷା ହେବାରୁ କିଛି ଘର ଭାଙ୍ଗିଛି । କଣ୍ଟାମାଲ ବ୍ଲକ ଲମ୍ବସରୀ ପଞ୍ଚାୟତର ବଲମତୁମା ଗାଁର ଗୁରୁଦେବ କୁମ୍ଭୀରଙ୍କ ଝାଟିମାଟିର ଘର ବର୍ଷାରେ ଭାଙ୍ଗି ଯାଇଛି । ଅନ୍ୟ କିଛି ସ୍ଥାନରେ ପବନରେ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଯୋଗୁ ଗମନାଗମନରେ ବାଧା ସୃଷ୍ଟି ହୋଇଛି ।
ସେପଟେ ମୟୂରଭଞ୍ଜ ଉଦଳାରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ଝଡ଼ତୋଫାନରେ ଉପୁଡ଼ି ପଡ଼ିଛି ଗଛ । ହଠାତ ଅନ୍ଧାର ହୋଇ ମାଡିଆସିବା ପରେ ପ୍ରବଳ ବର୍ଷିଲା । ଭୀଷଣ ବର୍ଷା ସାଙ୍ଗକୁ ଖୁବ ଜୋରରେ ପବନ ବହିବାରୁ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି । ଉଦଳା – ବାରିପଦା ରାଜ୍ୟ ରାଜପଥର ପୁରୁଣାପାଣି, ଡୁକୁରା ଆଦି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଉପରେ ପଡିଥିଲା । ପୁରୁଣାପାଣି ଗାଁରେ ଏକ ଗଛ ଉପୁଡି ଏକ କାର୍ ଉପରେ ପଡିବାରୁ କାରଟି ଭାଙ୍ଗି ଯାଇଛି । ସେହିପରି ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଗୋଟିଏ ଘରର ଟାଇଲ ଛପର ଭାଙ୍ଗି ଯାଇଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇଛନ୍ତି ।
କୋଟପାଡ଼: ବଜ୍ରାଘାତରେ ଜଣେ ମୃତ ଓ ଜଣେ ଗୁରୁତର । କୋରାପୁଟ କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ କୁସୁମଗୁଡ଼ାର ଧନୁର୍ଜୟ ତଲିଆଙ୍କ ବଜ୍ରାଘାତରେ ମୃତ୍ୟୁ । ସେହି ଗାଁର ଗଙ୍ଗା ପାତ୍ର ଗୁରୁତର ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଦିନ ୪ଟାରେ କାଜୁ ସଂଗ୍ରହ କରୁଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା । ଉଭୟଙ୍କୁ ଉଦ୍ଧାର କରାଯାଇ କୁନ୍ଦୁରା ମେଡିକାଲ ନେବା ପରେ ଧନୁର୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଯାଜପୁର: କାଳବୈଶାଖୀ ନେଲା ଜୀବନ । ତାଳଗଛ ପଡି ଯାଜପୁରରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ଏପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ କୀଟନାଶକ ପିଇ ଗୁରୁତର ହୋଇଛି । ସୂଚନା ଅନୁଯାୟୀ, ଯାଜପୁରରେ କାଳବୈଶାଖୀ ଯୋଗୁ ଜୋରରେ ପବନ ବହିଥିଲା । ସେହି ସମୟରେ ଗଛ ମୂଳରେ ଆଶ୍ରୟ ନେଇଥିଲେ ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗାଁର ବଙ୍କିମ ବିହାରୀ ଜେନାଙ୍କ ପୁଅ ଅଜିତ କୁମାର ଜେନା । ଅଜିତଙ୍କ ଉପରେ ତାଳଗଛ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ସୁମିତ୍ରା ଘାସ ମରା ଔଷଧ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ବାଲିଚନ୍ଦ୍ରପୁର ପୋଲିସ ବଡବାଲିକୁଦା ଗାଁରେ ପଂହଚି ଅଜିତଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
ବ୍ରହ୍ମପୁର: ଏପଟେ ଗଞ୍ଜାମ ପାତ୍ରପୁର ବ୍ଲକ ଖରଣୀପଡାରେ ବି କାଳବୈଶାଖୀର ତାଣ୍ଡବ । ବଡ଼ ଭାଇ ଆଗରେ ଚାଲିଗଲା ସାନ ଭାଇ ର ଜୀବନ । ଗତକାଲି ରାତିରେ ଏକ କୁକୁଡ଼ା ଫାର୍ମ କାନ୍ଥ ପଡି ସିପୁନ ମହାରଣା ନାମକ ଯୁବକଙ୍କ ଜୀବନ ଯାଇଛି । ଗୁରୁତର ଅବସ୍ଥାରେ ଚିକିଟି ମେଡିକାଲ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି । ଓଡ୍ରାଫ ଓ ଅଗ୍ନିଶମ ଟିମ ପହଞ୍ଚି ରାସ୍ତା ଅବରୋଧ ହଟାଇଛନ୍ତି ।
ଚାନ୍ଦବାଲି: କାଳବୈଶାଖୀର ତାଣ୍ଡବ । ନଡ଼ିଆ ଗଛ ପଡ଼ି ଭାଙ୍ଗିଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମହୁଲିଆ ପଞ୍ଚାୟତ ଚନ୍ଦନପୁର ଗାଁରେ ନଡିଆ ଗଛ ଭାଙ୍ଗି ଅଞ୍ଜନ ବେହେରା ଓ ଭାରତୀ ମୂଦୁଲିଙ୍କ ଆଜବେଷ୍ଟ ଘର ଭାଙ୍ଗିଯାଇଛି । ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଗଛ ପଡିବା ଯୋଗୁଁ ଘର ସମ୍ମୁଖରେ ଥିବା ପାଚେରୀ ବି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି ।