ପୁରୀ: ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା ସମ୍ପାଦନା କରିଥିଲେ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ ହୋଇଥିଲା କୁରାଢ଼ି । ଅପରାହ୍ନ ୫ଟା ୩୦ ପରେ ତିନି ଜଣ ପୂଜାପଣ୍ଡା ସାମନ୍ତ ୩ଟି ଆଜ୍ଞାମାଳ ଧରି ଆସିଥିଲେ । ମନ୍ତ୍ର ଧ୍ୱନି ମଧ୍ୟରେ ବିଶ୍ୱର୍କମାମାନେ ପାରମ୍ପରିକ ରୀତିନୀତିରେ ଉକ୍ତ କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିଛନ୍ତି ।
ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅନୁଯାୟୀ ରଥ ନିର୍ମାଣ ଆରମ୍ଭ ହୋଇଛି । ରଥ ନିର୍ମାଣରେ ମୁଖ୍ୟତଃ ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଆଦି କାଠ ବ୍ୟବହୃତ ହୋଇଥାଏ।ପ୍ରମୁଖ ନିର୍ମାଣକାରୀଙ୍କ ମସ୍ତକରେ ଶାଢିବନ୍ଧା ନୀତି ହୋଇଥିଲେ । ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ନୂତନ କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରିଥିଲେ। । ତିନି ରଥର ମୁଖ୍ୟ ବିଶ୍ୱକର୍ମା ନୂତନ ଲୌହ କୁରାଢ଼ିକୁ ରଥତ୍ରୟର ତିନି କାଠଖଣ୍ଡକୁ ସ୍ପର୍ଶ କରି ରଥ ନିର୍ମାଣ ପାଇଁ ପ୍ରାର୍ଥନା କରିଥିଲେ। ଆସନ୍ତା କାଲି ଠାରୁ ଶ୍ରୀନହର ସମ୍ମୁଖ ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ ହେବ ।