ଭୁବନେଶ୍ଵର : ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ । ଭୋଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ରାଜ୍ୟରେ ପ୍ରାୟ ୯.୮ ଲକ୍ଷ ନାମ ଭୋଟର ତାଲିକାରୁ ବାଦ୍ ପଡିଛି । କିନ୍ତୁ ଅନେକ ସ୍ଥାନରେ ଭୁଲ୍ ଭାବରେ ନାମ କଟାଯାଇଥିବା ନେଇ ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ସବୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ELO ମାନଙ୍କୁ ପତ୍ର ଲେଖିିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର । ଭୋଟର ତାଲିକାରୁ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲ୍ ବଶତଃ କଟି ନଯାଏ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଏଥିପାଇଁ ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
କେତେକ କ୍ଷେତ୍ରରେ ଭୋଟର ନିଜ ସ୍ଥାନରେ ଉପସ୍ଥିତ ଥିଲେ ମଧ୍ୟ ଏବଂ ବି.ଏଲ୍.ଓ. ମାନେ କୌଣସି ଫିଲ୍ଡ୍ ଭିଜିଟ୍ ନକରି ନାମ କାଟି ଦେଇଥିବା ଜଣାପଡ଼ିଛି । ଏହି ସମସ୍ୟା ଯୋଗୁଁ ୨ ଏପ୍ରିଲ ୨୦୨୬ ପରଠାରୁ ମିଳିଥିବା ପ୍ରାୟ ୨ ଲକ୍ଷ ଫର୍ମ-୭ ଆବେଦନକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହାସହ ସବୁ ଇଲଏଓଙ୍କୁ କିଛି ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ମୃତ ବ୍ୟକ୍ତିଙ୍କ ନାମ କାଟିବା ପୂର୍ବରୁ ଉପଯୁକ୍ତ ଯାଞ୍ଚ ଆବଶ୍ୟକ । ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଫର୍ମ-୭ ଦାଖଲ ହେବା ଉଚିତ୍ ଏବଂ ନାମ କାଟିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଶେଷ ଜଣାଥିବା ଠିକଣାରେ ଏକ ନୋଟିସ୍ ପଠାଇବା ବାଧ୍ୟତାମୂଳକ ।
ଯଦି ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନରେ ଥିବା ସନ୍ଦେହ ହୁଏ, ତେବେ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ହେବ। କୌଣସି ପଦକ୍ଷେପ ନେବା ପୂର୍ବରୁ ଭୋଟରଙ୍କୁ ନୋଟିସ୍ ଜାରି କରାଯିବ । ୨ ଏପ୍ରିଲ ୨୦୨୬ ପରେ ମିଳିଥିବା ଫର୍ମ-୭ ଆବେଦନଗୁଡ଼ିକ ମଧ୍ୟରୁ ଅନ୍ତତଃ ପକ୍ଷେ ୫୦% ଆବେଦନର ଫିଜିକାଲ ଭେରିଫିକେସନ ERO/AERO କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଦ୍ୱାରା କରାଯିବ। ସେମାନେ ନିଜେ ଆବେଦନକାରୀଙ୍କ ସହ ଯୋଗାଯୋଗ କରିବେ।