ତେହେରାନ: ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ଶନିବାର ହର୍ମୁଜ ପ୍ରଣାଳୀ ପାର୍ ହେବାକୁ ଚେଷ୍ଟା କରିବା ସମୟରେ ୨ଟି ଜାହାଜ ଉପରେ ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି। ଆମେରିକା ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଇରାନ କହିଛି ଯେ, ଆମେରିକା ଏବେବି ହର୍ମୁଜ ପ୍ରଣାଳୀକୁ ଅବରୋଧ କରି ରଖିଛି, ଯେଉଁ କାରଣରୁ ସେ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଛି।
ଅନ୍ୟପକ୍ଷରେ ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ କରିବାକୁ ପୁଣି ଥରେ କୂଟନୈତିକ ପ୍ରୟାସ ଜୋରଦାର ଚାଲିଛି। ଆସନ୍ତା ସୋମବାର ଇରାନ ଓ ଆମେରିକା ମଧ୍ୟରେ ଇସଲାମାବାଦଠାରେ ପୁଣି ଥରେ ଆଲୋଚନା ଆରମ୍ଭ ହେବ ବୋଲି ସିଏନ୍ଏନ୍କୁ ଇରାନର ଜଣେ ଅଧିକାରୀ ସୂଚନା ଦେଇଥିବାବେଳେ। ପ୍ରତିନିଧି ଦଳ ଏଥିପାଇଁ ରବିବାର ପାକିସ୍ତାନ ଗସ୍ତ କରିବ ବୋଲି ସିଏନ୍ଏନ୍ କହିଛି। ତେବେ ଆଇଆରଜିସି-ସମ୍ବନ୍ଧିତ ତାସନିମ୍ ନ୍ୟୁଜ୍ର ଏକ ରିପୋର୍ଟ ଅନୁଯାୟୀ, ଇରାନ ବର୍ତ୍ତମାନ ପାଇଁ ଆମେରିକା ସହିତ ନୂତନ ଆଲୋଚନା ପାଇଁ ରାଜି ହେବାକୁ ମନା କରିଦେଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ତେହେରାନ ପାକିସ୍ତାନର ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକୀୟ ଅଧିକାରୀମାନଙ୍କୁ ଏହାର ନିଷ୍ପତ୍ତି ଜଣାଇଛି।
ଇରାନର ଉପ ବିଦେଶ ମନ୍ତ୍ରୀ ସଇଦ ଖାତିବଜାଦେହ ତୁର୍କୀରେ ଅନୁଷ୍ଠିତ ଆଣ୍ଟାଲିଆ କୂଟନୈତିକ ଫୋରମର ଅବସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିଥିଲେ, ଯେଉଁଠାରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖାରଜ କରିଥିଲେ। ବୁଧବାର ସୁଦ୍ଧା କୌଣସି ଚୁକ୍ତି ନହେଲେ ୱାସିଂଟନ ତେହେରାନ ଉପରେ ପୁଣି ବୋମା ପକାଇବା ଆରମ୍ଭ କରିପାରେ ବୋଲି ଟ୍ରମ୍ପଙ୍କ ମନ୍ତବ୍ୟର ଜବାବରେ ଖାତିବଜାଦେହ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଅତ୍ୟଧିକ କଥା କୁହନ୍ତି। ଇରାନ ସମସ୍ତ ଉଲ୍ଲଂଘନର ଉଚିତ ଜବାବ ଦେବ। ଆଇଆରଜିସିି ନୌସେନା ମଧ୍ୟ ସମାନ ଧମକ ଦେଇଛି।