Spread the love

ମୟୁରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ। ରାସଗୋବିନ୍ଦପୁର ଆଶ୍ରମ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ବିଷାକ୍ତ ଖାଦ୍ୟ ଖାଇ ଅଭାବନୀୟ ମୃତ୍ୟୁକୁ ନିନ୍ଦା ଏବଂ ପ୍ରତିବାଦ କରି ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା| ଏ ହରତାଳ ଆମ ପିଲାଙ୍କ ସୁରକ୍ଷା ପାଇଁ, ସରକାରଙ୍କ ଅବହେଳା ପାଇଁ, ରୁପାଲି ବେଶ୍ରା ପରି କୋମଳମତି ଛାତ୍ରୀକୁ ନ୍ୟାୟ ପାଇବା ପାଇଁ, ଶୋଇଥିବା ସରକାରର ନିନ୍ଦ ଭାଙ୍ଗିବା ପାଇଁ, ୧୪୬ ଛାତ୍ରଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇବା ପାଇଁ ଦୟୀ କିଏ ବୋଲି ଦାବି କରି ଆଜି ମୟୂରଭଞ୍ଜ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା|

ଏହି ବନ୍ଦକୁ ବିଭିନ୍ନ ଦଳଗତ ନିର୍ବିଶେଷରେ ସମର୍ଥନ ଦେଇଛନ୍ତି। କଂଗ୍ରେସ୍, ଜିଲ୍ଲା ଓକିଲ ସଙ୍ଘ, ବସ ସଙ୍ଘ, ପରି ଅନେକ ଛୋଟ ବଡ଼ ସଙ୍ଗଠନ ମୟୂରଭଞ୍ଜ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ମୟୂରଭଞ୍ଜ ବିଜେଡ଼ିର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ ହୋଇଛି। ଏଥିରେ ବିଜେଡିର ଯୁବ, ଛାତ୍ର ଓ ଜନତା ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ବିକ୍ଷୋଭ କରିଛନ୍ତି। ବାରିପଦା ସହର ସମେତ ଚାରି ଉପଖଣ୍ଡ, କପ୍ତିପଦା ବାମନଘାଟି ଓ ପଞ୍ଚପିଢ଼ ଉପଖଣ୍ଡ ବନ୍ଦ।। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ପିକେଟିଂ କରି ବିକ୍ଷୋଭ ଜାରି ରହିଛି। ରାଜରାସ୍ତାରେ ଅଟକି ରହିଛି ଶତାଧିକ ଟ୍ରକ, ଗାଡ଼ି ମଟର। କିନ୍ତୁ ଅତ୍ୟାବଶକୀୟ ଦୋକାନ ଖୋଲା ସହ ଆମ୍ବୁଲାନ୍ସକୁ ଛାଡ଼ି ରଖିଛନ୍ତି ବିକ୍ଷୋଭକାରି। ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ହରତାଳ। କୌଣସି ଅପ୍ରୀତିକର ଘଟଣା ନଜରକୁ ଆସିନାହିଁ। ସେହିପରି ମୟୂରଭଞ୍ଜର କେନ୍ଦ୍ରବିନ୍ଦୁ କୁହାଯାଉଥିବା ବିଶୋଇ ବଜ଼ାର ଓ ଆଖପାଖ ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *