Spread the love

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ଗୁଣି ଗାରେଡି ସନ୍ଦେହରେ ଏକାଦଶୀ ନାହାକ ବ୍ୟକ୍ତିଙ୍କୁ ହତ୍ୟା। ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ଘନ ପ୍ରଧାନ(୪୫) ଏବଂ ତାଙ୍କ ଭାଉଜ ପଙ୍କଜା ପ୍ରଧାନ(୩୨)। ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ମୃତକ ଏକାଦଶୀ ନାହାକ ନିଜ ପାନ ବରଜକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ପକ୍ଷରୁ ତଦନ୍ତ ବେଳେ ମୃତ ଏକାଦଶୀ ନାହାକ ନିଜ ଗ୍ରାମରେ ଗୁଣିଗାରେଡି କରୁଥିବା ଜଣା ପଡ଼ିଥିଲା। ବିଭିନ୍ନ ଅଞ୍ଚଳରୁ ଲୋକମାନେ ତାଙ୍କ ନିକଟକୁ ସମସ୍ୟା ନେଇ ଆସନ୍ତି। ଅଭିଯୁକ୍ତ ଘନ ପ୍ରଧାନ ଦୀର୍ଘ ୧୦ ବର୍ଷ ଧରି ତାଙ୍କ ସହ ଯୋଗାଯୋଗରେ ଥିଲେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଦିଗରେ ସମାଧାନ ବାଟ ବାହାର କରିବାକୁ ମୃତ ଏକାଦଶୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛି ବର୍ଷ ମଧ୍ୟରେ ଅଭିଯୁକ୍ତ ନିଜ ପରିବାରର ସ୍ତ୍ରୀ, ମାଆ ଏବଂ ନାତିଙ୍କୁ ହରାଇଥିଲେ। ଏପରିକି ତାଙ୍କର ପାଞ୍ଚଟି ଗାଈଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକ ଏବଂ ଗାଇଙ୍କ ମୃତ୍ୟୁ ପାଇଁ ସେ ଏକାଦଶୀଙ୍କ ଗୁଣିଗାରେଡିକୁ ଦାୟୀ କରି ଆସୁଥିଲେ।

ଏହି ଆକ୍ରୋଶ ରଖି ଗତ ୧୨ ତାରିଖରେ ଘନ ଓ ତାଙ୍କ ଭାଉଜ ପଙ୍କଜା ମିଶି ପାନ ବରଜ ମଧ୍ୟରେ ଏକାଦଶୀଙ୍କୁ ଏକ କାତି ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *