ବଲାଙ୍ଗୀରି : ରାଜ୍ୟରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଗଲାଣି । ଜନଜୀବନ ଅସ୍ତବ୍ୟସ୍ତ । ଚଳିତ ବର୍ଷ ତାପମାତ୍ରା ବୃଦ୍ଧି ପାଇବା ସହିତ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ପାଇଁ ବଡ଼ ଅପଡେଟ୍ ରହିଛି । କାଲିଠୁ ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ପାଇଁ ଘୋଷଣା ହୋଇଛି । ସ୍କୁଲ, କଲେଜ ସହ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ବଲାଙ୍ଗିର ଜିଲ୍ଲାପାଳ । ଗ୍ରୀଷ୍ମ ସ୍ଥିତିକୁ ଦେଖି ପରବର୍ତ୍ତୀ ଛୁଟି ନିଷ୍ପତ୍ତି ନିଆଯିବ ।
ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ । ୨୪ ଘଣ୍ଟା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅର୍ଥାତ୍ ତାତି ସ୍ଥିର ରହିବ। ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ପୁରୀରେ ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିୟସ ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୪ ଡିଗ୍ରୀ ସେଲସିୟସ ରହିପାରେ । କିଛି ସ୍ଥାନରେ ଏହା ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ।