Spread the love

ଭୁବନେଶ୍ୱର : ସୀମା ନିର୍ଦ୍ଧାରଣ ବିବାଦ  ।  ଓଡ଼ିଶାର ସ୍ୱର ଦବିଯିବା ନେଇ ବିରୋଧୀ ଦଳ ନେତା ନବୀନଙ୍କ ସତର୍କବାଣୀ ।  ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାରୁ ଅଲଗା କର । ପ୍ରସ୍ତାବିତ ସମ୍ବିଧାନ ୧୩୧ତମ ସଂଶୋଧନ ବିଲ୍, ୨୦୨୬କୁ ନେଇ ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି ।  ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣ ସହ ଯୋଡ଼ିବା ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ୱ ଓ ଆର୍ଥିକ ସ୍ୱାର୍ଥ ଦୁର୍ବଳ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଓଡ଼ିଶାର ସାଂସଦମାନଙ୍କୁ ଲେଖିଥିବା ତିନି ପୃଷ୍ଠାର ଚିଠିରେ ନବୀନ ଅନୁରୋଧ କରିଛନ୍ତି , ସଂସଦ ଭିତରେ ଓ ବାହାରେ ଏହି ପ୍ରସଙ୍ଗରେ ସ୍ୱର ଉଠାନ୍ତୁ। ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରୁ ଅଲଗା କରିବାକୁ ସେ ଦାବି କରିଛନ୍ତି, ଯେପରି ଲୋକସଭାରେ ଓଡ଼ିଶାର ପ୍ରଭାବ କମିବ ନାହିଁ ।  ବର୍ତ୍ତମାନ ଲୋକସଭାର ୫୪୩ ସିଟ୍ ମଧ୍ୟରୁ ଓଡ଼ିଶାର ୨୧ଟି ଆସନ ଅଛି । ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯% ରହିଛି ।  ଯଦି ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଏ, ଓଡ଼ିଶାର ଆସନ ୨୯କୁ ବଢ଼ିଲେ ମଧ୍ୟ ସମୁଦାୟ ଆସନ ତୁଳନାରେ ଏହା ମାତ୍ର ୩.୪% ହୋଇଯିବ। ଅର୍ଥାତ୍ ଓଡ଼ିଶାର ଶକ୍ତି ପ୍ରାୟ ୧୫% କମିଯିବ ।

ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଭଲ କାମ କରିଛି। କିନ୍ତୁ ଏହି ନୂଆ ନିୟମ ଯୋଗୁଁ ଅଧିକ ଜନସଂଖ୍ୟା ଥିବା ରାଜ୍ୟମାନେ ଫାଇଦାରେ ରହିବେ ଏବଂ ଓଡ଼ିଶା କ୍ଷତି ସହିବ ।  ଏହାଦ୍ୱାରା କେନ୍ଦ୍ରୀୟ ଅନୁଦାନ ଓ ପାଣ୍ଠି ମିଳିବାରେ ମଧ୍ୟ ଓଡ଼ିଶା ଅବହେଳିତ ହେବ ।  ଏହି ପ୍ରସଙ୍ଗକୁ ନବୀନ ଓଡ଼ିଆ ଅସ୍ମିତା ଓ ଗର୍ବ ସହ ଯୋଡ଼ିଛନ୍ତି ।  ଏହା ୪.୫ କୋଟି ଓଡ଼ିଆଙ୍କ ଆଶା ଓ ଭବିଷ୍ୟତ ପିଢ଼ି ପ୍ରତି ଏକ “ବଡ଼ ଅନ୍ୟାୟ” ବୋଲି ନବୀନ କହିଛନ୍ତି ।  ଓଡ଼ିଶାର ରାଜନୈତିକ ଅଧିକାର ରକ୍ଷା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।  ଯଦି ଓଡ଼ିଶାର ସ୍ୱାର୍ଥ ରକ୍ଷା ନହୁଏ, ତେବେ ବିଜେଡି ଏହି ଲଢ଼େଇକୁ ଜନସାଧାରଣଙ୍କ ପାଖକୁ ନେଇଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *