Spread the love

ନୂଆଦିଲ୍ଲୀ : ୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ । ଲୋକସଭାରେ ବଡ଼ ପରିବର୍ତ୍ତନ । ୫୪୩ ରୁ ୮୫୦ ହେବେ ସାଂସଦ ! ଆସୁଛି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ । ଭାରତୀୟ ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଦେଶର ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ସରକାର ଏକ ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବିତ ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଆସନ୍ତା ଏପ୍ରିଲ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବ

ଆସନ ବଣ୍ଟନର ନୂଆ ସୂତ୍ର

ସୂତ୍ର ଅନୁଯାୟୀ, ପ୍ରସ୍ତାବିତ ୮୫୦ଟି ଆସନ ମଧ୍ୟରୁ ୮୧୫ଟି ଆସନ ବିଭିନ୍ନ ରାଜ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୩୫ଟି ଆସନ କେନ୍ଦ୍ରଶାସିତ ଅଞ୍ଳ ପାଇଁ ରଖାଯିବ । ୨୦୧୧ ଜନଗଣନା ଆଧାରରେ ଏହି ନୂତନ ସୀମା ନିର୍ଦ୍ଧାରଣ (Delimitation) କରାଯିବ । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ରାଜ୍ୟ ନିଜର ବର୍ତ୍ତମାନର ଆସନ ହରାଇବେ ନାହିଁ, ବରଂ ଜନସଂଖ୍ୟା ଅନୁପାତରେ ସମସ୍ତଙ୍କର ଆସନ ବୃଦ୍ଧି ପାଇବ ।

ନାରୀଶକ୍ତିକୁ ମିଳିବ ବଡ଼ ସୁଯୋଗ

ଏହି ବିଲ୍ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୩୩% ମହିଳା ସଂରକ୍ଷଣ (ନାରୀଶକ୍ତି ବନ୍ଦନ ଅଧିନିୟମ) ର କାର୍ଯ୍ୟକାରିତା । ଆସନ ସଂଖ୍ୟା ବଢ଼ିବା ଦ୍ୱାରା ବର୍ତ୍ତମାନର ସାଂସଦମାନଙ୍କୁ ନହଟାଇ ପ୍ରାୟ ଏକ-ତୃତୀୟାଂଶ ନୂଆ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ।  ଏହି ବ୍ୟବସ୍ଥା ୨୦୨୯ ଲୋକସଭା ନିର୍ବାଚନ ଠାରୁ ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ରାଜନୈତିକ ସମୀକରଣରେ ପରିବର୍ତ୍ତନ

ଲୋକସଭା ଆସନ ୮୫୦ କୁ ବୃଦ୍ଧି ପାଇଲେ ସରକାର ଗଢ଼ିବା ପାଇଁ ବହୁମତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ବର୍ତ୍ତମାନ ୨୭୨ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେଉଥିବା ବେଳେ, ନୂଆ ବ୍ୟବସ୍ଥାରେ ଏହି ସଂଖ୍ୟା ୪୨୬ କୁ ବୃଦ୍ଧି ପାଇବ । ସେହିପରି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ି ପ୍ରାୟ ୧୨୮ ଛୁଇଁପାରେ ।

ବିରୋଧୀଙ୍କ ସ୍ୱର ଓ ଫେଡେରାଲ୍ ବାଲାନ୍ସ

ତେବେ ଏହି ବିଲ୍ କୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ଏବଂ ଅନ୍ୟ ନେତାମାନଙ୍କ ମତରେ, ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଛନ୍ତି, ସେମାନଙ୍କର ପ୍ରତିନିଧିତ୍ୱ ଉତ୍ତର ଭାରତର ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ (ଯଥା: ଉତ୍ତର ପ୍ରଦେଶ, ବିହାର) ତୁଳନାରେ କମିଯାଇପାରେ ।

Leave a Reply

Your email address will not be published. Required fields are marked *