ବାଲେଶ୍ୱର: ନର୍ସିଂ ପଢ଼ି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ସ୍ୱପ୍ନ ଦେଖିଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ଆଡମିଶନ କରିବାର ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଗୋଟିଏ ବି ପରୀକ୍ଷା ଦେଇପାରିନାହାନ୍ତି ପିଲା। ଏଭଳି ଏକ ସାଂଘାତିକ ତଥା ଚିନ୍ତାଜନକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଛାତ୍ରଛାତ୍ରୀଙ୍କ ପ୍ରବଳ ବିରୋଧ ଓ ଆନ୍ଦୋଳନ ପରେ ଶେଷରେ ନିଦ ଭାଙ୍ଗିଛି ଓଡ଼ିଶା ନର୍ସିଂ ଆଣ୍ଡ୍ ମିଡୱାଇଭସ୍ ରେଜିଷ୍ଟ୍ରେସନ୍ କାଉନସିଲର। ପରୀକ୍ଷା ବିଳମ୍ବ ଏବଂ ଅନିୟମିତତା ନେଇ କାଉନସିଲ୍ ପକ୍ଷରୁ ଜିଲ୍ଲାର ୧୬ଟି ଘରୋଇ ନର୍ସିଂ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସୂଚନା ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଘରୋଇ ନର୍ସିଂ କଲେଜରେ ବି.ଏସସି ଏବଂ ଜିଏନଏମ୍ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଏବଂ ରେଜିଷ୍ଟ୍ରେସନ୍ ନେଇ ଦୀର୍ଘ ଦିନ ହେବ ହଟହଟା ହେଉଛନ୍ତି। ଅଭିଯୋଗ ହେଉଛି ଯେ, ଅନେକ କଲେଜର ଉପଯୁକ୍ତ ସରକାରୀ ସ୍ୱୀକୃତି ନଥିବା ବେଳେ ସେମାନେ ବେଆଇନ ଭାବେ ପିଲାଙ୍କ ଆଡମିଶନ କରାଇ ନେଇଛନ୍ତି। ଫଳରେ ୪ ବର୍ଷିଆ କୋର୍ସ ପାଇଁ ୬ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ପରୀକ୍ଷା କରାଯାଇନାହିଁ କିମ୍ବା ପିଲାଙ୍କ ପଞ୍ଜୀକରଣ ହୋଇପାରିନାହିଁ। ନିଜର ବହୁମୂଲ୍ୟ ସମୟ ଏବଂ ଲକ୍ଷ ଲକ୍ଷ ଟଙ୍କା ବର୍ବାଦ ହେବା ଦେଖି ଶେଷରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।
ସ୍ଥିତି ସେତେବେଳେ ଅଣାୟତ୍ତ ହୋଇପଡ଼ିଥିଲା ଯେତେବେଳେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଶହ ଶହ ନର୍ସିଂ ଛାତ୍ରଛାତ୍ରୀ ଏକାଠି ହୋଇ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଘେରାଉ କରିବା ସହ ଠେଲାପେଲା କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଏହାପରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହେବା ସହ ବାଲେଶ୍ୱର ଗସ୍ତରେ ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଘେରାଉ କରିଥିଲେ। ତୁରନ୍ତ ଏହି ସମସ୍ୟାର ସମାଧାନ କରି ସେମାନଙ୍କ ଭବିଷ୍ୟତ ରକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ।
ଛାତ୍ରଛାତ୍ରୀଙ୍କ ଏହି ବିରାଟ ଆନ୍ଦୋଳନ ଏବଂ ପ୍ରଶାସନିକ ଚାପ ପରେ ଶେଷରେ ଆକ୍ସନ ମୋଡକୁ ଆସିଛି ONMRC। ଦୀର୍ଘଦିନ ଧରି ନୀରବଦ୍ରଷ୍ଟା ସାଜିଥିବା ଏହି ସଂସ୍ଥା ବାଲେଶ୍ୱରର ୧୬ଟି ନର୍ସିଂ କଲେଜକୁ ନୋଟିସ୍ ଜାରି କରିଛି। ଆଡମିଶନ ନେବା ସତ୍ତ୍ୱେ କାହିଁକି ଏଯାଏଁ ପିଲାଙ୍କ ପରୀକ୍ଷା କରାଯାଇନାହିଁ, ସେନେଇ ଆସନ୍ତା ୨ ଦିନ ମଧ୍ୟରେ ସବିଶେଷ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କାଉନସିଲ୍ କଡ଼ା ନିର୍ଦ୍ଦେଶ ଦେଇଛି।