କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପବିତ୍ର ‘ଉତ୍କଳ ଦିବସ’ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି । ବଡ଼ବେତରା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପାଟକୁରାର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟ ଉଦ୍ଘାଟକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଭାରତର ସୁପ୍ରସିଦ୍ଧ ଭେଷଜ ବିଜ୍ଞାନୀ ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଗୌରବମୟ ଇତିହାସ ଓ ବିକାଶ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଅଶୋକ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମନୀଷୀମାନଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।


ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ପୂଜ୍ୟପୂଜା’ ପରମ୍ପରାକୁ ସମ୍ମାନ ଜଣାଇ ଗ୍ରାମର ଅଶୀତିପର ବୟୋଜ୍ୟଷ୍ଠ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବା । ସମ୍ବର୍ଦ୍ଧିତ ହୋଇଥିବା ଏହି ବୟୋଜ୍ୟଷ୍ଠମାନଙ୍କୁ ସମାଜର ଜଣେ ଜଣେ ‘ଜୀବନ୍ତ ଇତିହାସ’ ଓ ‘ଦିଗ୍ଦର୍ଶକ’ ଭାବେ ଅଭିହିତ କରାଯାଇଥିଲା। ଦୀର୍ଘ ଆଠ ଦଶନ୍ଧିର ଅଭିଜ୍ଞତା, ସଂଘର୍ଷ ଓ ନିରବଚ୍ଛିନ୍ନ ଅବଦାନ ପାଇଁ ସେମାନଙ୍କୁ ଗାଁ ଓ ସମାଜ ପାଇଁ ଏକ ‘ବଟବୃକ୍ଷର ଶୀତଳ ଛାୟା’ ସଦୃଶ ବୋଲି ବର୍ଣ୍ଣନା କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେମାନଙ୍କର ଉପସ୍ଥିତି ସମସ୍ତଙ୍କ ପାଇଁ କେବଳ ଗୌରବ ନୁହେଁ, ବରଂ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନୀ ଗୁରୁପ୍ରସାଦ ତ୍ରିପାଠୀ, ସମାଜସେବୀ ରମାକାନ୍ତ ମିଶ୍ର, ଅଧ୍ୟାପକ ପ୍ରଦୀପ କୁମାର ଜେନା, ସମାଜସେବୀ ଶୁକଦାନନ୍ଦ ପ୍ରଧାନ ଓ ବିଜନ ରାୟ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ। ସମଗ୍ର ସଭା କାର୍ଯ୍ୟକୁ ଶ୍ରୀଯୁକ୍ତ ହରିହର ତ୍ରିପାଠୀ ଅତି ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ। ପରିଶେଷରେ ଗରଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭୟ ମହାରାଜ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୟୋଜ୍ୟଷ୍ଠଙ୍କ ପ୍ରତି ପ୍ରଦର୍ଶିତ ଏହି ସମ୍ମାନ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ପରମ୍ପରା ସୃଷ୍ଟି କରିବା ସହ ସମସ୍ତଙ୍କ ମନରେ ଏକ ଆବେଗପୂର୍ଣ୍ଣ ବାତାବରଣ ତିଆରି କରିଥିଲା।