ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ ଭିତରେ ବହୁ ଗାଡି ଫସି ରହିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଶ୍ରୀନଗର-ଲେହ ଜାତୀୟ ରାଜପଥର ଜୋଜିଲା ପାସ୍ ନିକଟରେ ଏହି ଅଘଟଣ ଘଟିଛି । ବିଶାଳ ବରଫ ଅତଡା ଧସି ପଡ଼ିବାରୁ ସେହି ରାସ୍ତାରେ ଯାଉଥିବା ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଏହା ତଳେ ଚାପି ହୋଇଯାଇଥିଲା ।
ଭାରତୀୟ ସେନା, ପୋଲିସ ଏବଂ ବିଆରଓ (BRO) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବରଫପାତ ଓ ହିମସ୍ଖଳନ ଯୋଗୁଁ ଶ୍ରୀନଗର -ଲେହ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଶତାଧିକ ପର୍ଯ୍ୟଟକ ଓ ଯାନବାହାନ ସେଠାରେ ଫସି ରହିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ସାଧାରଣ ଲୋକଙ୍କୁ ସେହି ରାସ୍ତାରେ ନଯିବାକୁ ପରାମର୍ଶ ଦିଆଯାଇଛି ।