Spread the love

ଗାଜିଆବାଦ: ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କଲେ ହରିଶ ରାଣା । ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିବା ପରେ, ତାଙ୍କର ଶେଷ ଯାତ୍ରା ଲାଗି ଦିଲ୍ଲୀ ଏମ୍ସରେ ଚାଲିଥିଲା ପ୍ରସ୍ତୁତି । ଆଉ ଆଜି ସବୁଦିନ ପାଇଁ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଗାଜିଆବାଦର ହରିଶ ରାଣା । ସେ ଦୀର୍ଘ ୧୩ ବର୍ଷ ଧରି କୋମାରେ ଥିଲେ । ତାଙ୍କୁ ଇଚ୍ଛାମୃତ୍ୟୁ ମିଳୁ ବୋଲି ଦାବି କରି ଦୀର୍ଘ ଦିନ ଧରି ନ୍ୟାୟିକ ଲଢ଼େଇ କରିଥିଲା ପରିବାର । ଶେଷରେ ମାର୍ଚ୍ଚ ୧୬, ୨୦୨୬ରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇ ୩୨ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ ।

ଭାରତରେ ପ୍ରଥମ ବ୍ୟକ୍ତି ହରିଣ ରାଣା, ଯାହାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହରିଶ ରାଣା ୧୩ ବର୍ଷରୁ ଅଧିକ ସମୟ କୋମାରେ ରହିବା ପରେ ଦିଲ୍ଲୀର ଏମ୍ସରେ ପ୍ରାଣ ହରାଇଛନ୍ତି । ମଙ୍ଗଳବାର (୨୪ ମାର୍ଚ୍ଚ, ୨୦୨୬) ଦିନ ରାଣା ଦିଲ୍ଲୀର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଗତ ୧୩ ବର୍ଷ ଧରି ହରିଶ ଶଯ୍ୟାଶାୟୀ ହୋଇ ରହିଥିଲେ । ସେ ଯେମିତି ପାଲଟି ଯାଇଥିଲେ ଜୀଅନ୍ତା ଶବ । ଆଜି ସେ ତାଙ୍କ ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତ ହୋଇଛନ୍ତି ।

ଗାଜିଆବାଦର ବାସିନ୍ଦା ଥିଲେ ହରିଶ ରାଣା । ୨୦୧୩ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ। ସେଠାରେ ପାଠପଢ଼ୁଥିବା ସମୟରେ, ସେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ ଏବଂ ତାଙ୍କର ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ, ଡାକ୍ତରମାନେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖିଥିଲେ ଏବଂ ସେବେଠାରୁ ସେ କୋମାରେ ଥିଲେ ।

ଦୀର୍ଘ ୧୩ ବର୍ଷ ଧରି କୋମାରେ ରହିଥିଲେ ହରିଶ ରାଣା । ତାଙ୍କର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ପିଣ୍ଡରେ ପ୍ରାଣ ଥିଲା ସତ, କିନ୍ତୁ ହରିଶ ଆଉ କେବେ ସୁସ୍ଥ ହୋଇ ପରିବାର ପାଖକୁ ଫେରିଆସିବ ସେହି ଆଶା ନଥିଲା । ଜୀଅନ୍ତ ଶବ ପାଲଟିଯାଇଥିଲେ ହରିଶ । ସେପଟେ ମେଡିକାଲ କଣ୍ଡିସନ୍ ଏବଂ ପରିବାରର ଗୁହାରୀ ପରେ ସୁପ୍ରିମକୋର୍ଟ ହରିଶଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ । ନିୟମ ଅନୁସାରେ ଏମ୍ସ ହସ୍ପିଟାଲରେ ହରିଶଙ୍କ ମୃତ୍ୟୁ ପାଇଁ ସମସ୍ତ ପ୍ରକ୍ରିୟା କରାଯାଇଥିଲା । ଆଉ ଆଜି ହରିଶ ରାଣାଙ୍କ ପରଲୋକ ଘଟିଛି ।

Leave a Reply

Your email address will not be published. Required fields are marked *