Spread the love

ତେହେରାନ: ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି। ଇରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି। ଯଦି ଇରାନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ, ତେବେ ବିଶ୍ବରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି।

ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ହଜାର ହଜାର କିମି ଦୈର୍ଘ୍ୟ ବିଶିଷ୍ଟ ଏହି କେବୁଲଗୁଡିକୁ ଇରାନ ଯଦି କାଟିଦିଏ, ତେବେ ଆନ୍ତର୍ଜାତିକସ୍ତରରେ ଭିଡିଓ କଲ, ଇ-ମେଲ, ନେଟ୍‌ ବ୍ୟାଙ୍କିଙ୍ଗ୍‌. ଏଆଇ ସର୍ଭିସରେ ବିଭ୍ରାଟ ଦେଖାଦେବ। ଲୋହିତ ସାଗର ଏବଂ ହର୍ମୁଜ ପ୍ରଣାଳୀସ୍ଥିତ ସମୁଦ୍ର ଶଯ୍ୟାରେ ପ୍ରାୟ ୨୦ଟି ଗୁରୁତ୍ବପୂର୍ଣ୍ଣ ଇଣ୍ଟରନେଟ କେବୁଲ ବିଛାଯାଇଛି। ଏସିଆ-ୟୁରୋପ-ଆଫ୍ରିକା ମଧ୍ୟରେ ଏହି କେବୁଲଗୁଡିକ ଗୁରୁତ୍ବପୂର୍ଣ୍ଣ ଇଣ୍ଟରନେଟ ଟ୍ରାଫିକ୍‌ ବ୍ୟବସ୍ଥାକୁ ସମ୍ଭାଳୁଛି। ଏଗୁଡିକ ମଧ୍ୟରେ ଏଏଇ-୧, ଫାଲକନ୍‌, ଗଲ୍‌ଫ ବ୍ରିଜ ଇଣ୍ଟରନ୍ୟାସନାଲ କେବୁଲ ସିଷ୍ଟମ, ଟାଟା-ଟିଜିଏନ ଗଲ୍‌ଫ ଭଳି କେବୁଲ ସାମିଲ ଅଛି। ଗୁଗଲ୍‌, ଆମାଜନ ଓ ମାଇକ୍ରେସଫ୍ଟ ଭଳି ନାମୀ କମ୍ପାନୀଗୁଡିକ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ ଭଳି ଦେଶରେ କୋଟି କୋଟି ଟଙ୍କା ବ୍ୟୟ କରି ଡାଟା ସେଣ୍ଟର ସ୍ଥାପନ କରିଛନ୍ତି। ୨୦୨୪ରେ ୟେମେନରେ ସକ୍ରିୟ ଥିବା ହୁତି ଆତଙ୍କବାଦୀମାନେ ଲୋହିତ ସାଗର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲଗୁଡିକୁ ନଷ୍ଟ କରିଦେଇଥିଲେ। ଫଳରେ ଦୀର୍ଘ ଦିନ ଧରି ଏସିଆ ଓ ଆଫ୍ରିକାରେ ଇଣ୍ଟରନେଟ ସ୍ପିଡ୍‌ ହ୍ରାସ ପାଇଥିଲା।

Leave a Reply

Your email address will not be published. Required fields are marked *