Spread the love

ଯାଜପୁର/ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା (କଲେରା) ଜୀବାଣୁ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଜିଲ୍ଲାର ପରିସ୍ଥିତି ସଂପର୍କରେ ଅବଗତ ହେବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶାଗସ୍ତରେ ଆସୁଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଡା. ମିଶ୍ର କହିଛନ୍ତି, ଓଡ଼ିଶା ଗସ୍ତରେ ୧୪ ଜଣିଆ ଟିମ୍‌ ଆସିବେ। ଏହି ଟିମ୍‌ରେ ଭାରତୀୟ ଆୟୁର୍ବିଜ୍ଞାନ ଓ ଗବେଷଣା ପରିଷଦ (ଆଇସିଏମ୍‌ଆର), ଏନ୍‌ସିଡିସି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି ସଂସ୍ଥାର ସଦସ୍ୟ ଟିମ୍‌ରେ ରହିବେ। ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ହଇଜା ରୋଗୀ ନାହାନ୍ତି। ଶନିବାର କେନ୍ଦ୍ରରୁ ୧୪ ଜଣିଆ ଟିମ୍ ଆସି ରବିବାର ଘଟଣାସ୍ଥଳ ପରିଦର୍ଶନ କରିବେ।
ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଏବେ ଡାଇରିଆ ସ୍ଥିତି ଦେଖାଯାଇଛି। ପ୍ରାୟ ୭୦୦ ଲୋକ ଡାଇରିଆ ସଂସ୍ପର୍ଶରେ ଆସିଛନ୍ତି। କିନ୍ତୁ ଯାଜପୁର ଜିଲ୍ଲାରେ ଡାଇରିଆ ସହିତ ହଇଜା ସଂକ୍ରମିତ ମଧ୍ୟ ସାମ୍ନାକୁ ଆସିଛନ୍ତି। ସଂଗ୍ରହ କରାଯାଇଥିବା ୪୧ଟି ମଳ ନମୁନାରୁ ୮ଟି ହଇଜା ପଜିଟିଭ୍ ରହିଛି। ୧୦ ଦିନ ଭିତରେ ସ୍ଥାନୀୟ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଶେଷ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ମସିହାରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଭିବ୍ରିଓ କଲେରା ପାଇଁ ଶତାଧିକ ଆକ୍ରାନ୍ତ ହୋଇଥିବାବେଳେ ୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ସଂକ୍ରମିତ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି। ଯାଜପୁରରେ ହୋଇଥିବା ଏକ ଭୋଜିରେ ବ୍ୟବହାର ହୋଇଥିବା ପାଣି ପାଇଁ ଅନେକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଡାଇରିଆ ମାମଲା କମୁଛି, ଆସନ୍ତା ୨୪ଘଣ୍ଟାରେ ଏହା ଆହୁରି ହ୍ରାସ ପାଇବ। ଆଗୁଆ ମୌସୁମୀ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଡାଇରିଆ ସଂକ୍ରମଣ ଦେଖିବାକୁ ମିଳୁଛି। ଏଥିପାଇଁ ଜଳ ଉତ୍ସ ଯାଞ୍ଚ କରାଯାଉଛି। ଲୋକମାନେ ବିଶୁଦ୍ଧ ପାଣି ପିଇବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *