ସାଲେପୁର : ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ କଟକ ଜିଲ୍ଲା ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମରେ ଅବସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଟ୍ରଷ୍ଟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା | ସମଗ୍ର କାର୍ଯ୍ୟକ୍ରମଟି ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଅଧିବେଶନରେ ଟ୍ରଷ୍ଟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଓ ଦ୍ବିତୀୟ ଅଧିବେଶନରେ ଟ୍ରଷ୍ଟଦ୍ବାରା ପରିଚାଳିତ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ଦ୍ବିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା |
ପ୍ରଥମ ଅଧିବେଶନକୁ ସଂଚାଳନ କରିଥିଲେ ଟ୍ରଷ୍ଟର ବାର୍ତ୍ତା ସଂପାଦକ ଇଂ. ହରିହର ତ୍ରିପାଠୀ | ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ସମ୍ବଲପୁର ଡିଭିଜନର ଉପ ପରିଦର୍ଶକ (ପଞ୍ଜିକରଣ) ଶ୍ରୀଯୁକ୍ତ ଦେବରଞ୍ଜନ ମହାନ୍ତି | ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ଧରଣୀଧର ଜେନା | ପ୍ରଥମେ ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତି ଟ୍ରଷ୍ଟର ବାର୍ଷିକ ବିବରଣୀ ପାଠ କରିଥିଲେ | ଏହା ପରେ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ | ଏହି ପରିପ୍ରେକ୍ଷୀରେ ନିଜର ପ୍ରଶାସନିକ ଦକ୍ଷତା, ସଚ୍ଚୋଟତା ସହିତ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନିରବଚ୍ଛିନ୍ନ ଅବଦାନ ଲାଗି ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ଦେବରଞ୍ଜନ ମହାନ୍ତି, ଉପପରିଦର୍ଶକ (ପଞ୍ଜିକରଣ), ସମ୍ବଲପୁର ଡିଭିଜନଙ୍କୁ ସମ୍ମାନଜନକ ‘ଚନ୍ଦ୍ରମଣି-ଗୋପୀନାଥ ସ୍ମୃତି ସମ୍ମାନ – ୨୫’ ରେ ସମ୍ମାନିତ କରାଯାଇଥିଲା | ଟ୍ରଷ୍ଟର ମାର୍ଗଦର୍ଶକ ଶ୍ରୀଯୁକ୍ତ ଜନାର୍ଦ୍ଦନ ମହାନ୍ତି ଶ୍ରୀଯୁକ୍ତ ଦେବରଞ୍ଜନ ମହାନ୍ତିଙ୍କୁ ମାନପତ୍ର, ଉପେଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |
ଟ୍ରଷ୍ଟର ବରିଷ୍ଠ ସଦସ୍ୟ ବିପିନ ବିହାର କର ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ | ସମ୍ବର୍ଦ୍ଧିତ ପ୍ରତିଭା ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେବରଞ୍ଜନ ମହାନ୍ତି ଟ୍ରଷ୍ଟର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ଏହିଭଳି କାର୍ଯ୍ୟକ୍ରମ ସମାଜକୁ ନୂଆ ଦିଗ ପ୍ରଦାନ କରିବ ବାଲି କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପଦେଷ୍ଟା ମେଜର ମଞ୍ଜୁଶ୍ରୀ ପତି, ଶାରଦାପ୍ରସାଦ ରଥ, ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ମିଶ୍ର, ନିମାଇଁ ଚରଣ ଭୂୟାଁ ପ୍ରମୁଖ ଯୋଗଦାନ କରିଥିଲେ | ଇଂ. ହରିହର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |


ଦ୍ବିତୀୟ ଅଧିବେଶନରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ସଭାପତି ମେଜର ମଞ୍ଜୁଶ୍ରୀ ପତି ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ବିଜ୍ଞାନ ଲେଖକ ତଥା ରେଭେନ୍ସା ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଭାଇସ ପ୍ରିନ୍ସପାଲ ଡ. ଧରଣୀଧର ଜେନା | ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖାର ଉପଦେଷ୍ଟା ଡ. ଉମେଶଚନ୍ଦ୍ର ପତି ବାର୍ଷିକ ବିବରଣୀ ପାଠ କରିବା ସହିତ କହିଥିଲେ ଯେ ଟ୍ରଷ୍ଟର ସହାୟତାରେ ବିଜ୍ଞାନପ୍ରଚାର ସମିତିର ସାଲେପୁର ଶାଖା ସ୍ଥାନୀୟ ଅଞ୍ଚଳରେ ବିଜ୍ଞାନର ପ୍ରଚାର ଓ ପ୍ରସାରକାର୍ଯ୍ୟରେ ଜଡ଼ିତ ରହିଛି |
ମୁଖ୍ୟ ଅତିଥି ଡ. ଜେନା ନିକର ସାରଗର୍ଭକ ବକ୍ତୃତାରେ ବିଜ୍ଞାନ ବିନା ସମାଜ ତିଷ୍ଠି ରହି ପାରିବ ନାହିଁ ବୋଲି କହିବା ସହିତ ବିଜ୍ଞାନ ପ୍ରଚାର ସମିତିର କାର୍ଯ୍ୟକୁ ପ୍ରଶଂସା କରିଥିଲେ | ସଭାପତି ମେଜର ମଞ୍ଜୁଶ୍ରୀ ପତି ନିଜର ଅଭିଭାଷଣରେ ବିଜ୍ଞାନର ପ୍ରଚାର ପ୍ରସାର ଲାଗି ଯେଉଁମାନେ ସମିତିକୁ ନିରନ୍ତର ସହାୟତା କରିଆସୁଛନ୍ତି ସେମାନଙ୍କ କୃତଜ୍ଞତା ଜ୍ଞାପନ କରିବା ସହିତ ସମିତି ଆଗାମୀ ଦିନରେ ବିଜ୍ଞାନଭିତ୍ତିକ ନୂଆ ନୂଆ ପୁସ୍ତକ ପ୍ରକାଶ କରିବ ବୋଲତ କହିଥିଲେ |


ଏହି ଅବସରରେ ଦୁଇଟି ପୁସ୍ତକ ‘ବ୍ରହ୍ମାଣ୍ଡର ବିଚିତ୍ର ପ୍ରାଣୀ’ ଓ ‘ଜଳଜୀବନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ | ସଂପାଦକ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ |
ଏହି ଅବସରରେ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀମାନଙ୍କ ଭିତରା ବିଜ୍ଞାନଭିତ୍ତିକ କୁଇଜ ପ୍ରତିଯୋଗତା କରାଯାଇ ଟ୍ରଷ୍ଟ ପକ୍ଷରୁ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା | ସେହିପରି ବିଜ୍ଞାନପ୍ରଚାର ସମିତି ପକ୍ଷରୁ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆରାଧନା ନାୟକଙ୍କୁ ‘ସଭାପତି ମେଧା ପୁରସ୍କାର’ ସ୍ବରୂପ ୧ ହଜାର ଟଙ୍କା ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା | ଟ୍ରଷ୍ଟର ଜୈବିକ କୃଷି, ଗୋନାଇଲ ଉତ୍ପାଦନ, ଜିଆଖତ ଉତ୍ପାଦନ କାର୍ଯ୍ୟକ୍ରମରେ ସବୁବେଳେ ସହାୟତା କରି ଆସୁଥିବା ଶାରଦା ପ୍ରସାଦ ରଥଙ୍କୁ ଏହି ଅବସରରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ବର୍ଦ୍ଧିତ କରାଯାଇଥିଲା |