Spread the love

ନୂଆଦିଲ୍ଲୀ: ହରିୟାଣାର ହିସାରର ବାସିନ୍ଦା ଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଅପରେସନ ସିନ୍ଦୂର ପରେ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି।

ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଜ୍ୟୋତି ପାକିସ୍ତାନର ଲୋକପ୍ରିୟ ୟୁଟ୍ୟୁବର ଜୀଶାନ ହୁସେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ସେମାନେ ଏକାଠି ପାକିସ୍ତାନର ଏକ ସକାରାତ୍ମକ ପ୍ରତିଛବି ଦେଖାଇବା ପାଇଁ ୟୁଟ୍ୟୁବରେ ଭିଡିଓ ତିଆରି କରୁଥିଲେ।

ଲାହୋରର ବାସିନ୍ଦା ଜୀଶାନ ହୁସେନ ଜଣେ ଲୋକପ୍ରିୟ ପାକିସ୍ତାନୀ ୟୁଟ୍ୟୁବର। ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ମାମଲା ବିଶ୍ୱ ସ୍ତରରେ ପଞ୍ଜିକୃତ ହୋଇଛି। ଏହି ସମୟରେ ଜୀଶାନ ଏବଂ ଜ୍ୟୋତିଙ୍କ ଭିଡିଓ ପାକିସ୍ତାନକୁ ଏକ ସହନଶୀଳ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ରାଷ୍ଟ୍ର ଭାବରେ ଉପସ୍ଥାପନ କରିଥିଲା।

ଦୁହିଁଙ୍କ ଭିଡିଓ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତରେ ଏହି ଧାରଣା ସୃଷ୍ଟି କରିବା ଯେ ପାକିସ୍ତାନ ଏବେ ବଦଳୁଛି। ପହଲଗାମ ଆକ୍ରମଣର ଦୁଇ ମାସ ପୂର୍ବରୁ ଜ୍ୟୋତି ଧାର୍ମିକ ଭିସାରେ ପାକିସ୍ତାନ ଯାଇଥିଲେ। ସେଠାରେ ଜ୍ୟୋତି କାଟଶରାଜ ମନ୍ଦିରରେ ଜିଶାନଙ୍କୁ ଭେଟିଥିଲେ। ଏହାପରେ ଦୁହେଁ ପାକିସ୍ତାନର ସାଂସ୍କୃତିକ ସହିଷ୍ଣୁତାକୁ ଉଜାଗର କରି ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିଥିଲେ।

ଜ୍ୟୋତି ଗିରଫ ହେବାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ଜ୍ୟୋତିଙ୍କ ଫୋନ୍ରୁ ଡିଲିଟ ହୋଇଥିବା ଚାଟ୍ ଏବଂ ଫଟୋ ଡାଟାରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ଜ୍ୟୋତି ଅନେକ ପାକିସ୍ତାନୀଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।

ଜ୍ୟୋତି ଅଟାରୀ ସୀମାର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ବିଷୟରେ ଜୀଶାନଙ୍କ ସହ କୌଣସି ସୂଚନା ସେୟାର କରିଥିଲେ କି ନାହିଁ ସେ ଦିଗରେ ଜ‌ାଣିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ସେମାନଙ୍କ ଯାଞ୍ଚକୁ କଡ଼ାକଡ଼ି କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *