ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ପ୍ରତିଷ୍ଠିତ ବିବେକାନନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ ତାଙ୍କର ଅଭିଭାଷଣରେ କହିଥିଲେ ଯେ ଶୃଙ୍ଖଳା ହିଁ ଶିକ୍ଷାର ମାନଦଣ୍ଡ । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ଆଧ୍ୟାତ୍ମିକ ଶୃଙ୍ଖଳାଆଧାରିତ ଶିକ୍ଷା ଗ୍ରହଣ କରି ଜୀବନରେ ସଫଳତା ଅର୍ଜନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ | ଅନ୍ୟତମ ଅତିଥିଭାବେ ବିଦ୍ୟାଳୟର ସମ୍ପାଦକ ବିଜନ କୁମାର ଜେନା କହିଥିଲେ ଯେ ୩୫ ବର୍ଷର ଏହି ଶିକ୍ଷାନୁଷ୍ଠାନର ଦାୟିତ୍ବ ଗତ ଦୁଇବର୍ଷ ହେଲା ସେ ନେଇଛନ୍ତି | ପିଲାମାନଙ୍କୁ ମଣିଷ କରିବା ଏକ ଗୁରୁ ଦାୟିତ୍ବ | ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଆଧ୍ୟାତ୍ମିକ ଭାବ ଆଧାରରେ ଗୁଣାତ୍ମକ ଶିକ୍ଷାଦାନ ହେଉଅଛି |


ସମ୍ପାଦକ ଶ୍ରୀ ଜେନାଙ୍କ କହିବାନୁଯାୟୀ ୪ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ମଧ୍ୟ ରହିଛି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ବିଭାଗରେ ନାମଲେଖା ହେବ । ସେହିପରି ପ୍ରଧାନଶିକ୍ଷକ ଧ୍ରୁବଚରଣ ମହାପାତ୍ର ବିଦ୍ୟାଳୟର ଶିକ୍ଷା ପ୍ରଣାଳୀ ସହିତ ଏଠାକାର ଶୈକ୍ଷିକ ପରିବେଶ ଉପରେ ଆଲୋକପାତ କରିଥିଲେ |
ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଲେଫ୍ଟନାଣ୍ଟ କର୍ଣ୍ଣେଲ ନାରାୟଣ ପ୍ରସାଦ ମହାନ୍ତି, ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଓ ଯୁଗ୍ମ ସମ୍ପାଦିକା ରଶ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ଉତ୍ସବ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉତ୍ସବରେ ଭାଗ ନେବା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ । ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।