Spread the love

ନୂଆଦିଲ୍ଲୀ : ‘ଆଜି ବାପା-ମା’ଙ୍କ ବିବାହ ବାର୍ଷିକୀ ଥିଲା। ମୁଁ ସକାଳୁ ସକାଳୁ ଉଠି ସେମାନଙ୍କୁ ଅଭିନନ୍ଦନ ଜଣାଇ ମର୍ଣ୍ଣିଂ ୱାକ୍‌ରେ ଚାଲି ଯାଇଥିଲି। ଫେରିଲା ପରେ ଦେଖିଲି ଘରେ ପଡ଼ିଥିଲା ବାପା,ମାଆ ଓ ବଡ଼ ଭଉଣୀଙ୍କ ରକ୍ତାକ୍ତ ମୃତଦେହ।’ ଗତକାଲି ଏମିତି ଗପ ଶୁଣାଇଥିବା ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। କାରଣ ଆଉ କେହି ନୁହେଁ, ସେ ନିଜେ ତାଙ୍କ ବାପା, ମାଆ ଓ ବଡ଼ ଭଉଣୀଙ୍କୁ ହତ୍ୟା କରିଥିଲେ।
ଅଭିଯୁକ୍ତଙ୍କ ନାଁ ଅର୍ଜୁନ କୁମାର (୨୦)। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏକ କଲେଜରେ ସ୍ନାତକ କରୁଛନ୍ତି। ସେ ଜଣେ ରାଜ୍ୟ ସ୍ତରୀୟ ବକ୍ସର ମଧ୍ୟ। ତାଙ୍କ ବାପାଙ୍କ ନାଁ ରାଜେଶ କୁମାର (୫୧)। ସେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିଲେ। ତାଙ୍କ ମା’ଙ୍କ ନାଁ କୋମଲ (୪୬) ଓ ବଡ଼ ଭଉଣୀଙ୍କ ନାଁ କବିତା (୨୩)। ଅଭିଯୁକ୍ତ ଅର୍ଜୁନଙ୍କ ପରିବାର ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ରହୁଥିଲେ।
ହତ୍ୟା ପଛର କାରଣ
ପୁଲିସର ସୂଚନା ଅନୁଯାୟୀ, ଅର୍ଜୁନ ମନ ଦେଇ ପାଠ ପଢ଼ୁ ନଥିବା ଯୋଗୁ ତାଙ୍କ ବାପା ତାଙ୍କୁ ସବୁବେଳେ ଗାଳି କରୁଥିଲେ। ନିକଟରେ ତାଙ୍କ ବାପା ତାଙ୍କୁ ପାଖପଡ଼ୋଶୀଙ୍କ ସମ୍ମୁଖରେ ବହୁତ ଗାଳି କରିଥିଲେ। ଏମିତିକି ମାଡ଼ ମଧ୍ୟ ମାରି ଥିଲେ। ଏହାକୁ ନେଇ ଅର୍ଜୁନ ଖୁବ୍ ରାଗି ଯାଇଥିଲେ। ଅନ୍ୟମାନଙ୍କ ସମ୍ମୁଖରେ ବାପା ତାଙ୍କୁ ଗାଳି କରିବା ସହିତ ମାଡ଼ ମାରିଥିବାରୁ ସେ ଏହାର ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ। ବାପାଙ୍କ ସହିତ ସେ ତାଙ୍କ ମା’ ଓ ବଡ଼ ଭଉଣୀଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। କାରଣ ତାଙ୍କ ମା’ ଓ ଭଉଣୀ ମଧ୍ୟ ତାଙ୍କୁ ସହଯୋଗ କରୁ ନଥିବା ସେ ଭାବୁ ଥିଲେ। ତାଙ୍କୁ ପରିବାରରେ ସମସ୍ତେ ଅବହେଳା କରୁଥିଲେ ବୋଲି ସେ ମନେ କରୁଥିଲେ। ସେହିପରି ତାଙ୍କ ବାପା ତାଙ୍କର ସମସ୍ତ ସମ୍ପତ୍ତି ଝିଅ କବିତା ନାଁରେ କରି ଦେବେ ବୋଲି କାହାକୁ କହିଥିବା ଅର୍ଜୁନ ଶୁଣିଥିଲେ। ତେଣୁ ସେହି ରାଗ ମଧ୍ୟ ତାଙ୍କ ମନରେ ଥିଲା। ତେଣୁ ସେ ପୂରା ଯୋଜନାବଦ୍ଧ ଭାବେ ତାଙ୍କ ବାପା,ମାଆ ଓ ବଡ଼ ଭଉଣୀଙ୍କୁ ହତ୍ୟା କରିଛନ୍ତି। ପଚରାଉଚରା ବେଳେ ଅର୍ଜୁନ ଦୋଷ ସ୍ୱୀକାର କରିବା ସହିତ ହତ୍ୟା ପଛର କାରଣ ସଂପର୍କରେ ଏସବୁ କଥା କହିଥିବା ପୁଲିସ ସୂଚନା ଦେଇଛି।
କେମିତି ମାରିଲେ
ଗତକାଲି ଅର୍ଥାତ୍ ଡିସେମ୍ବର ୪ ଥିଲା ଅବସରପ୍ରାପ୍ତ ସେନା କର୍ମଚାରୀ ରାଜେଶ କୁମାର ଓ କୋମଲଙ୍କ ବିବାହ ବାର୍ଷିକୀ। ଆଉ ଏହି ଦିନରେ ହିଁ ସେମାନଙ୍କୁ ମାରିବା ପାଇଁ ଯୋଜନା କରିଥିଲେ ତାଙ୍କର ଏକମାତ୍ର ପୁଅ ଅର୍ଜୁନ। ଏଥିରୁ ଜଣାପଡ଼ୁଛି ବାପାମା’ଙ୍କ ଉପରେ ତାଙ୍କର କେତେ ଆକ୍ରୋଶ ଥିଲା। ଗତକାଲି ସକାଳେ ବାପା, ମାଆ ଓ ବଡ଼ ଭଉଣୀ ଶୋଇଥିବା ବେଳେ ଅର୍ଜୁନ ସେମାନଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ସେ ପ୍ରଥମେ ତାଙ୍କ ଭଉଣୀ କବିତାଙ୍କୁ ମାରିଥିଲେ। ତା’ପରେ ବାପାଙ୍କୁ ମାରିଥିଲେ ଓ ଶେଷରେ ମା’ କୋମଲଙ୍କୁ ମାରିଥିଲେ। କିଛି ରିପୋର୍ଟ ଅନୁଯାୟୀ, ଉକ୍ତ ଛୁରୀଟି ତାଙ୍କ ବାପାଙ୍କର। ସେ ସେନାରେ କାର୍ଯ୍ୟ କରୁଥିବା ବେଳେ ସେଠାରୁ ଉକ୍ତ ଛୁରୀଟିକୁ ଆଣିଥିଲେ। ସମସ୍ତଙ୍କୁ ମାରି ସାରିବା ପରେ ଯୋଜନା ମୁତାବକ ମର୍ଣ୍ଣିଂ ୱାକ୍ କରିବାକୁ ଚାଲି ଯାଇଥିଲେ ଅର୍ଜୁନ, ଯେମିତି ତାଙ୍କୁ କେହି ସନ୍ଦେହ କରିବେ ନାହିଁ।
କେମିତି ଆସିଲେ ପୁଲିସର ସନ୍ଦେହ ଭିତରକୁ
ମର୍ଣ୍ଣିଂ ୱାକ୍‌ରୁ ଫେରି ଘଟଣା ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ ଅର୍ଜୁନ। ତାଙ୍କ ପାଟି ଶୁଣି ପାଖ ପଡ଼ୋଶୀ ଧାଇଁ ଆସିଥିଲେ। ଅର୍ଜୁନ ନିଜେ ଘଟଣା ସଂପର୍କରେ ତାଙ୍କର ସଂପର୍କୀୟମାନଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ତା’ ସହିତ ପୁଲିସକୁ ମଧ୍ୟ ନିଜେ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଥିଲା ଯେ ଘରୁ କିଛି ଜିନିଷ ଚୋରି ହୋଇନାହିଁ। ଅର୍ଜୁନ ମଧ୍ୟ ଏକଥା ସ୍ପଷ୍ଟ କରିଥିଲେ। ସେହିପରି ଘରେ କିଛି ଭଙ୍ଗାରୁଜା ମଧ୍ୟ ହୋଇ ନଥିଲା। ପରେ ପୁଲିସ୍ ଉକ୍ତ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରିଥିଲା। ସେଥିରେ ମଧ୍ୟ କିଛି ସନ୍ଦେହଜନକ କଥା ପୁଲିସ ପାଇ ନଥିଲା। ଶେଷରେ ପୁଲିସର ତଦନ୍ତର ଦିଗ ବଦଳି ଥିଲା ଓ ସେମାନଙ୍କ ସନ୍ଦେହର ପରିସରକୁ ଆସିଥିଲେ ଅର୍ଜୁନ। କାରଣ ତାଙ୍କ ବୟାନରେ ତାଳମେଳ ରହୁ ନଥିଲା। ପ୍ରଥମେ ପ୍ରଥମେ ଅର୍ଜୁନ କିଛି ମାନି ନଥିଲେ। କିନ୍ତୁ ପୁଲିସ ଜେରା କଲା ବେଳେ ସେ ଅଧିକ ସମୟ ମିଛ କହିପାରି ନଥିଲେ। ସେ ଭାଙ୍ଗି ପଡ଼ିଥିଲେ ଓ ପୂରା ଘଟଣା କହିଥିଲେ। ପୁଲିସ ତାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *