Spread the love

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ବ୍ୟକ୍ତିକୁ ଶେଷରେ ପୁଲିସ୍‌ ଆଜି ଗିରଫ କରିଛି। ଅକ୍ଟୋବର ୧୨ରେ ସିଦ୍ଦିକିଙ୍କୁ ମୁମ୍ବାଇରେ ଥିବା ତାଙ୍କ ପୁଅଙ୍କ ଅଫିସ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା।
ଘଟଣା ଦିନ ତାଙ୍କୁ ଗୁଳି କରି ଫେରାର ହୋଇଥିବା ବ୍ୟକ୍ତିକୁ ଆଜି ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ସେ ନେପାଳ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛି।
ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ଶିବ କୁମାର। ଜେରା ବେଳେ ସେ ସ୍ୱୀକାର କରିଛି ଯେ ତା’ର ସମ୍ପର୍କ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ରହିଛି। ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବାର ଦିନକ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲା। ତଥାପି ଏହାର ସତ୍ୟାସତ୍ୟ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଏବେ ଶିବ କୁମାର ବିଷ୍ଣୋଇ ଗ୍ୟାଙ୍ଗର ସଂପୃକ୍ତି କଥାକୁ ନିଶ୍ଚିତ କରିଛି।
ଶିବ କୁମାରର କହିବା କଥା ଯେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ଏବେ ଜେଲରେ ଥିବା ବେଳେ ତା’ ଭାଇ ଗ୍ୟାଙ୍ଗକୁ ବିଦେଶରେ ରହି ପରିଚାଳନା କରୁଛି।
ଶିବ କୁମାରକୁ ଧରିବାର ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶ ଏସଟିଏଫର ସହାୟତା ନେଇଥିଲା। ଶିବ କୁମାର ବ୍ୟତୀତ ପୁଲିସ୍‌ ଅନୁରାଗ କଶ୍ୟପ, ଜ୍ଞାନ ପ୍ରକାଶ ତ୍ରିପାଠୀ, ଆକାଶ ଶ୍ରୀବାସ୍ତବ ଓ ଅଖିଲେଶ ପ୍ରତାପ ସିଂହକୁ ମଧ୍ୟ ଗିରଫ କରିଛି। ଏମାନେ ଶିବ କୁମାରକୁ ଘଟଣା ପରେ ରହିବାକୁ ଘର ଦେଇଥିଲେ। ସେହିପରି ତା’କୁ ନେପାଳ ପଠାଇବାକୁ ଉଦ୍ୟମ କରିଥିଲେ।
ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ତ ପରଠାରୁ ଶିବ କୁମାର ଫେରାର ଥିଲା। ସେ ଘଟଣା ଦିନ ସେ ୯.୯ ଏମଏମ ପିସ୍ତଲରୁ ମୋଟ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ମଧ୍ୟରୁ ଗୋଟିଏ ସିଦ୍ଦିକିଙ୍କ ଛାତିରେ ବାଜିବାରୁ ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ।

Leave a Reply

Your email address will not be published. Required fields are marked *