Spread the love

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଇଂଜିନିୟରିଂ ବିଦ୍ୟାକୁ ସଫଳ ରୂପାୟନ କରି ସମାଜ କଲ୍ୟାଣ ଦିଗରେ ବ୍ୟବହାର କରାଯିବା ଉପରେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ଧ୍ୟାନ ଦେବା ଉଚିତ । ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେଣ୍ଟ, ମେସିନ୍‌ ଲର୍ଣ୍ଣିଙ୍ଗ୍‌, ଡାଟା ସାଇନ୍ସ ଆଦି ନୂତନ ପାଠ୍ୟକ୍ରମ ବହୁଳ ମାତ୍ରାରେ ପ୍ରଚଳନ କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।
ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂ କହିଲେ ଯେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ହିଁ ବିଶ୍ୱଗୁରୁ ହେବ ଏବଂ ପୃଥିବୀର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ବିକଶିତ ଭାରତ ଏକ ନମ୍ବର ହେବ । ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ଏ କ୍ଷେତ୍ରରେ ଉତ୍ତମ ମାନବସମ୍ବଳ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ସେ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ୍‌ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉନ୍ନତ ମାନର ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଅଧ୍ୟକ୍ଷତା କରିଥିବାବେଳେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା। ଓୟୁଟିଆର୍‌ ଫାଇନ୍‌, ଓୟୁଟିଆର୍‌ ସିମେନ୍‌, ସିଓଇ ଡିଜିଟାଲ ମାନୁଫାକ୍‌ଚରିଂ ଉଦ୍‌ଘାଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *