Spread the love

ଭୁବନେଶ୍ୱର : ଗାଁରେ ପଇଁନ୍ତରା ମାରୁଛନ୍ତି ସିଆର୍‌ପିଏଫ୍‌ ଯବାନ। ଆଉ ସେମାନଙ୍କ ଉପସ୍ଥିତିରେ କୋଲକାତାରୁ ଆସିଥିବା ଇଡି ଟିମ୍‌ ରେଡ୍‌ କଲା। ଗତ ଦୁଇ ଦିନ ହେଲା ରେଡ୍‌ କରିବା ପରେ ଆଜି ଇଡି ଟିମ୍‌ ଫେରି ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗାଁରେ ଦେଖିବାକୁ ମିଳିଛି ଏପରି ଚିତ୍ର। ହେଲେ ରେଡ୍‌ ସମ୍ପର୍କରେ ଇଡି ଟିମ୍‌ ମୁହଁ ଖୋଲିନି। ଶୁଣିବାକୁ ମିଳୁଛି ଅନ୍‌ଲାଇନ୍‌ ଗେମ ଖେଳି କୋଟିପତି ହୋଇଥିବା ଯୁବକଙ୍କ ଘରେ ଇଡି ଟିମ୍‌ ଚଢ଼ଉ କରିଛି।
ଅଭିଯୋଗ ଅନୁସାରେ ବଣାଇଁ ଥାନା ବଡଗୋଗୁଆ ଗାଁର ଅରୁଣ ସାହୁ, ଶିଶିର ପ୍ରଧାନ, ଆଲୋକ କୁମାର ସାହୁ, ନାରାୟଣ ପ୍ରଧାନ, ବିଜୟ ପ୍ରଧାନ ଓ ଅରୁଣ ରାଉତଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଯୁବକ ଅନ୍‌ଲାଇନ୍‌ ଗେମ୍‌ ଖେଳି କୋଟିପତି ହୋଇଛନ୍ତି। ସେମାନେ ବ୍ୟାଙ୍କ ବେଲାନ୍ସ ବଢ଼ାଇବା ସହିତ କରିଛନ୍ତି ଆଲିସାନ୍‌ ଘର। ଦାମି ଗାଡ଼ି ସାଙ୍ଗକୁ ରଙ୍ଗୀନ ଲାଇଫ୍‌ ଷ୍ଟାଇଲ୍‌ ବିତାଉଛନ୍ତି। ଜିରୋରୁ ହିରୋ ହୋଇଥିଲେ ମଧ୍ୟ ଟଙ୍କା ରୋଜଗାରର ପନ୍ଥା ସମ୍ପର୍କରେ କୌଣସି ତଥ୍ୟ ପାଇନଥିଲା ବ୍ୟାଙ୍କ।
ବ୍ୟାଙ୍କ ଆକାଉଣ୍ଟରେ ହଠାତ୍‌ ଟଙ୍କା ବଢ଼ିବା ଓ ଆଲିସାନ୍‌ ବଙ୍ଗଲା ସହିତ ହାଇଫାଇ ଲାଇଫ ଷ୍ଟାଇଲ୍‌କୁ ତଥ୍ୟ ସାମ୍ନାକୁ ଆସିବା ପରେ ହାଜର ହୋଇଥିଲା ଇଡି। ସାଥୀରେ ଆସିଥିଲେ ସିଆର୍‌ପିଏଫ୍‌ ଫୋର୍ସ। ଶୁକ୍ରବାର ଭୋରୁ ଭୋରୁ ବଡ଼ଗୋଗୁଆ ଗାଁ ଲୋକଙ୍କ ନିଦ ଭାଙ୍ଗି ପୂର୍ବରୁ କୋଲକାତାରୁ ଆସିଥିବା ୪୦ ଜଣିଆ ଇଡି ଟିମ୍‌ ହାଜର ହୋଇଯାଇଥିଲେ। ସିଆର୍‌ପିଏଫ୍‌ ଯବାନଙ୍କ ଉପସ୍ଥିତିରେ ଇଡିର ଟିମ୍‌ ସଦସ୍ୟମାନେ ଅରୁଣ ସାହୁ, ଶିଶିର ପ୍ରଧାନ, ଆଲୋକ କୁମାର ସାହୁ, ନାରାୟଣ ପ୍ରଧାନ, ବିଜୟ ପ୍ରଧାନ ଓ ଅରୁଣ ରାଉତଙ୍କ ଘରେ ରେଡ୍‌ କରିଥିଲେ। ହେଲେ ଇଡି ଟିମ୍‌ ଗାଁରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ୬ ଜଣ ଯୁବକ ଘରୁ ପଳାଇ ଯାଇଥିଲେ।
ଶୁକ୍ରବାର ସକାଳଠାରୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରେଡ୍‌ କରିଥିଲେ। ସେମାନଙ୍କ ପରିବାର ଲୋକଙ୍କୁ ଘନ ଘନ ପ୍ରଶ୍ନ ପଚାରିଥିଲେ। ଆଲିସାନ୍‌ ଘର କରିବା ପାଇଁ ଟଙ୍କା କେଉଁଠୁ ଆସିଲା? ପରିବାରର ଉପାର୍ଜନର ପନ୍ଥା କଣ? ଏମିତି ନାନା ପ୍ରଶ୍ନ ପଚାରିଥିଲା। ହେଲେ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲା। ଚର୍ଚ୍ଚା ହେଉଛି ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ରୋଜଗାର କରିଥିବା ଯୁବକଙ୍କୁ ନପାଇ ଇଡି ଅଫିସରମାନେ ଆଜି ପଳାଇ ଯାଇଛନ୍ତି। ସୂଚନାରୁ ପ୍ରକାଶ, ଏହି ଅଞ୍ଚଳର ୧୦୦ରୁ ଅଧିକ ଅନ୍‌ଲାଇନ୍‌ ଗେମ ଖେଳି କୋଟିପତି ହୋଇଛନ୍ତି।
ରେଡ୍‌ ନେଇ ଇଡି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *