Spread the love

ବଲାଙ୍ଗିର : ଯୁବତୀଙ୍କୁ ଅଜବ ତନ୍ତ୍ର ଚିକିତ୍ସା କରି ଗିରଫ ହେଲେ ତାନ୍ତ୍ରିକ। ୪ ବର୍ଷ ତଳେ ଜଣେ ଯୁବତୀଙ୍କ ମୁଣ୍ଡରେ ୧୦ରୁ ଅଧିକ ଲୁହାକଣ୍ଟା ପିଟିଥିବା ଅଭିଯୋଗରେ ଏହି ତାନ୍ତ୍ରିକଙ୍କୁ ଗିରଫ କରିଛି ପୁଲିସ। ସେପଟେ ଗୁରୁତର ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁର ବିଷ୍ଣୁ ବେହେରାଙ୍କ ଝିଅ ରେଶମା ବେହେରା (୧୯) ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ନହେବାରୁ ତାଙ୍କ ବାପା କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ସନ୍ତୋଷ ରଣାଙ୍କ ନିକଟକୁ ନେଇଥିଲେ। ସେଠାରେ ସନ୍ତୋଷ ରେଶମାଙ୍କ ମୁଣ୍ଡରେ ଏକାଧିକ ଲୁହା କଣ୍ଟା ପିଟିଥିବା କୁହାଯାଉଛି। ପରେ ରେଶମା ମୁର୍ଛିତ ହୋଇଯିବାରୁ କିଛି ଜାଣିପାରିନଥିଲେ।
ଚାରି ବର୍ଷ ପରେ ଗତ କିଛି ଦିନ ତଳେ ରେଶମାଙ୍କ ମୁଣ୍ଡରୁ ଲୁହାକଣ୍ଟା ବାହାରକୁ ବାହାରିଥିଲା। ପରିବାର ଲୋକେ ଆଠଟି ଲୁହାକଣ୍ଟା ବାହାର କରିଥିଲେ। ପରେ ଯୁବତୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରଯାଇଥିଲା। ସିଟି ସ୍କାନ ପରେ ମୁଣ୍ଡରେ ଆହୁରି ଦଶରୁ ଅଧିକ କଣ୍ଟା ଥିବା ଜଣାପଡ଼ିଛି।
ଏନେଇ ରେଶମାଙ୍କ ବାପା ବିଷ୍ଣୁ ବେହେରା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାନ୍ତ୍ରିକ ସନ୍ତୋଷ ରଣାଙ୍କୁ ଗିରଫ କରିଛି। ଏ ନେଇ ପୁଲିସ କିମ୍ବା ସଂପୃକ୍ତ ତାନ୍ତ୍ରିକଙ୍କ ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *