Spread the love

ନୂଆଦିଲ୍ଲୀ : ନିଟ-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନଟିଏ ୱେବସାଇଟରେ ସଂପୂର୍ଣ୍ଣ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ତେବେ ପିଲାମାନଙ୍କ ପରିଚୟ ଗୋପନ ରଖିବାକୁ ଏନଟିଏକୁ ନିର୍ଦ୍ଦେଶ ମିଳିଛି। ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇବ। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବା ଏହି ରେଜଲ୍ଟରୁ ଜଣାପଡ଼ିବ, ତା’ହେଲେ ପୁଣି ପରୀକ୍ଷା ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଛନ୍ତି।
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରିଥିଲା।
ଏହାପରେ ତଦନ୍ତକାରୀ ସଂସ୍ଥା ୬୦ ଜଣଙ୍କୁ ଗିରଫ କରିସାରିଲାଣି। ବିହାର ପେପର ଲିକ୍‌ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି।
ନିଟ୍‌ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍‌ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ହେଉଥିବା ବେଳେ ଘଟଣାର ତଦନ୍ତ ପାଇଁ ସିବିଆଇ ସ୍ୱତନ୍ତ୍ର ଟିମ ଗଠନ କରିଥିଲା।
ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।
୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପ୍ରଶ୍ନପତ୍ର ଲିକ୍ ବିବାଦ ମୁଣ୍ଡ ଟେକିଥିଲା। ଏପରିକି ବାହାର ରାଜ୍ୟର କିଛି ଛାତ୍ରଛାତ୍ରୀ ଗୁଜରାଟର ନିର୍ଦ୍ଦିଷ୍ଟ ସେଣ୍ଟର ଚୟନ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ବିରୋଧ ହୋଇଥିଲା। ଏହାପରେ NTA ପକ୍ଷରୁ CBI ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *