Spread the love

ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ପାଇଛନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର। ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଶ୍ରୀମତି ମହାନ୍ତିଙ୍କୁ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶ୍ରୀମତି ମହାନ୍ତିଙ୍କୁ ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରରେ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ସହ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ ଏକଦା ଯାଇଥିବା ବାଳିକା କୃଷ୍ଣାଙ୍କର ଏକ ତୈଳଚିତ୍ର ପ୍ରଦାନ କରାଯାଇଛି।

ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବା ପରେ ଶ୍ରୀମତି କୃଷ୍ଣା ମହାନ୍ତି କହିଛନ୍ତି ଯେ, ଆଜି ଗଣତନ୍ତ୍ର ବିପଦରେ। ଦଳିତ, ମହିଳା ସମସ୍ତେ ଅତ୍ୟାଚାରର ଶିକାର ହେଉଛନ୍ତି। ସରକାର ମଦ ପ୍ରସାର ନୀତି ଆପଣେଇଛନ୍ତି। ଆଉ ଏ ଦେଶ କର୍ପୋରେଟ ଓ ଭ୍ରଷ୍ଟ ନେତାଙ୍କ ଦଖଲରେ ଥିବାବେଳେ ଗାନ୍ଧୀ ପୁରସ୍କାର ମୋ ପାଇଁ ଏକ ଆହ୍ଵାନ।

ସମ୍ମାନ ସମାରୋହରେ ଅଧ୍ୟକ୍ଷତା କରି ସର୍ବ ସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ କହିଛନ୍ତି ଯେ, କୃଷ୍ଣା ଅପାଙ୍କୁ ଏହି ସମ୍ମାନ ପ୍ରଦାନ କରି ସମଗ୍ର ସର୍ବୋଦୟ ପରିବାର ସମ୍ମାନିତ ହୋଇଛି। ସର୍ବୋଦୟ ଆନ୍ଦୋଳନକୁ ଦେଶବ୍ୟାପୀ ବ୍ୟାପକ କରିବାରେ କୃଷ୍ଣା ଅପାଙ୍କ ପରିବାରର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବଡବାପା ଗୋପବନ୍ଧୁ ଚୌଧୁରୀ ସର୍ବ ସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ, ବାପା ନବକୃଷ୍ଣ ଚୌଧୁରୀ, ବଡଭାଇ ମନମୋହନ ଚୌଧୁରୀ ଓ ଭିଣୋଇ ନାରାୟଣ ଦେଶାଇ ସଂଘର ସଭାପତି ଭାବରେ କାର୍ଯ୍ୟ କରିଥିଲେ।

ସେ ଆହୁରି କହିଛନ୍ତି, କୃଷ୍ଣା ଅପା ନିଜେ ସାଢେ ତିନି ବର୍ଷ ବୟସରେ ଇଂରେଜ ସରକାରର ଜେଲରେ ରହିଥିଲେ। ଭୂଦାନ ଗ୍ରାମଦାନ ଆନ୍ଦୋଳନ ହେଉ କି ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ଗାନ୍ଧୀ ସର୍ବୋଦୟ ଆନ୍ଦୋଳନର ସିପାହୀ ଭାବରେ କୃଷ୍ଣା ଅପାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ। ଦଳିତ ଉତଥାନ ହେଉ କି ସାମ୍ପ୍ରଦାୟିକ ସଦଭାବ, ବାଜି ରାଉତ ଛାତ୍ରାବାସ ହେଉ କି ଉତ୍କଳ ଗାନ୍ଧୀ ସ୍ମାରକନିଧି ଜୀବନକୁ ବାଜି ଲଗାଇ କୃଷ୍ଣା ଅପା ସର୍ବୋଦୟ ସଂଗଠନଗୁଡିକୁ ସକ୍ରିୟ ରଖିଛନ୍ତି।

ସମ୍ମାନ ସମାରୋହରେ  ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡିଶା କୃଷକ ସଂଗଠନର ଆବାହକ ଲିଙ୍ଗରାଜ, ନିୟମଗିରି ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମହମ୍ମଦ ଶେଖ ହୁସେନ, ଅବିନାଶ କାକଡେ, ଅରବିନ୍ଦ ଅଞ୍ଜୁମ, ଗୌରାଙ୍ଗ ମହାପାତ୍ର, ଅରବିନ୍ଦ କୁଶୱାହା, ମିହିର ପ୍ରତାପ ଦାସ, ଦେବ ପ୍ରସାଦ ରାୟ, ରମେଶ ବେହେରା, ପ୍ରଫେସର ଧନେଶ୍ଵର ସାହୁ, ପ୍ରଶାନ୍ତ ଦାସ, ରାମଚନ୍ଦ୍ର ଶୁକ୍ଳ, ଆର୍ଯ୍ୟଭଟ୍ଟ ମହାନ୍ତି, ଗୌରାଙ୍ଗ ରାଉତ, ପ୍ରମିଳା ରାଉତ, ସତ୍ୟାନାଦ ପ୍ରଧାନ, ମୁକ୍ତେଶ୍ଵର ପ୍ରଧାନ, ଶିଶିର ଶତପଥୀ, ଚୂଡାମଣି ସାହୁ, ଝରଣା ପଟ୍ଟନାୟକ, ବାସନ୍ତୀ ମହାନ୍ତି, ଆଦ୍ୟଶ୍ଳୋକ ମିଶ୍ର ଓ ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଦେଶର ଗଣତାନ୍ତ୍ରିକ ପରିସ୍ଥିତି ଓ ମହାତ୍ମା ଗାନ୍ଧୀ ଶୀର୍ଷକ ଆଲୋଚନାରେ ଭାଗ ନେଇଥିଲେ। ସର୍ବ ସେବା ସଂଘ ଆନ୍ଦୋଳନ ସମିତିର ସଂଯୋଜକ ଡାକ୍ତର ବିଶ୍ଵଜିତ ସଭା ସଂଚାଳନ କରିଥିଲେ।

କୃଷ୍ଣା ମହାନ୍ତି ହେଉଛନ୍ତି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ। ଭାରତ ଛାଡ଼ ଆନ୍ଦୋଳନ କାଳରେ ତାଙ୍କର ସମଗ୍ର ପରିବାର ଜେଲରେ ଥିବାବେଳେ ଛୋଟ ଝିଅ କୃଷ୍ଣା ମଧ୍ୟ ମାଆଙ୍କ ସହ କଟକ ଜେଲରେ କିଛିକାଳ ବିତାଇଥିଲେ। ଜେଲରୁ ବାହାରିବା ପରେ ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ସେବାଗ୍ରାମ ଆଶ୍ରମରେ ରଖିଥିଲେ।

Leave a Reply

Your email address will not be published. Required fields are marked *