Spread the love

ଭୁବନେଶ୍ବର : ସନ୍ଦେହରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଭୂମିକା। ଏପର୍ଯ୍ୟନ୍ତ ବିଜେଡି ପ୍ରେମରୁ ମୁକୁଳି ପାରୁନାହାନ୍ତି। ଯେଉଁଥିପାଇଁ ବିଜେଡିର ଭଡ଼ାଟିଆ ଗୁଣ୍ଡା ସାଜି ରାଜନୀତିକ ବ୍ୟକ୍ତିମାନଙ୍କୁ ଧମକଚମକ ଦେଉଥିବାର ଅଭିଯୋଗ ଥିବା ଆଇପିଏସ ଅଫିସର ଆଶୀଷ କୁମାର ସିଂଙ୍କ ସୁରକ୍ଷାଦାତା ସାଜିଛନ୍ତି ନିଜେ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀ। ଆଜି ଗୃହ ବିଭାଗ ଚିଠି ଲେଖି ଆଇପିଏସ୍ ଆଶିଷ ସିଂଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିବା ପରେ ପୁଲିସ ଡିଜିଙ୍କ ଅସଲ ଚେହେରା ପଦାରେ ପଡ଼ିଛି। ଗତକାଲି ପୁଲିସ ଡିଜିଙ୍କ ଦ୍ୱାରା ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଆଶିଷ ସିଂ ଉପସ୍ଥିତ ରହିବା ଓ ଆଜି ଗୃହ ବିଭାଗ ତାଙ୍କ ସମ୍ପର୍କରେ ରିପୋର୍ଟ ମାଗିବା ହିଁ ପୁଲିସ ଡିଜିଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣି ଆଣିଛି। ସାଧାରଣ ନିର୍ବାଚନବେଳେ ସ୍ୱାସ୍ଥ୍ୟ ଖରାପର ମିଛ ବାହାନା କରି ବିଜେଡି ପାଇଁ କାମ କରିଥିବାର ତଥ୍ୟପ୍ରମାଣ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିଶନ ଜୁନ୍ ୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀ ତାଙ୍କର ସୁରକ୍ଷାଦାତା ସାଜିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବପର ହେଉନଥିବା ସାଧାରଣରେ ଚର୍ଚ୍ଚା।
ସୂଚନା ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ ଆଜି ରାଜ୍ୟ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କୁ ଚିଠି ଲେଖି ଆଇପିଏସ୍ ଆଶିଷ କୁମାର ସିଂଙ୍କ ଛୁଟି ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କହିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଇପିଏସ୍ ଶ୍ରୀ ସିଂ ମେ’ ୪ତାରିଖରେ ଏକମାସ ଛୁଟି(ଇଏଲ) ନେଇଥିଲେ। ଏହି ଛୁଟି ଆବେଦନକୁୁ ଗୃହ ବିଭାଗ ପିଛିଲା ଭାବେ ଅର୍ଥାତ୍ ମେ’ ୧୦ତାରିଖରେ ଅନୁମୋଦନ କରିଥିଲା। ତେବେ ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ଶ୍ରୀ ସିଂ କାର୍ଯ୍ୟରେ ଯୋଗଦେଲେଣି ନା ନିଜର ଛୁଟି ଅବଧି ବୃଦ୍ଧି କରିଛନ୍ତି ତା’ର କୌଣସି ସୂଚନା ଗୃହ ବିଭାଗ ପାଖରେ ନାହିଁ। ତେଣୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଖୁବଶୀଘ୍ର ବିଭାଗକୁ ଦେବା ପାଇଁ ଶ୍ରୀ ମଲ୍ଲିକ ଆଜି ରାଜ୍ୟ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀ ଗତକାଲି(ଜୁନ୍ ୨୬ ତାରିଖ) ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ପୁରୀ ରଥଯାତ୍ରା ପ୍ରସ୍ତୁତିର ଏକ ସମୀକ୍ଷା ବୈଠକ କରିଥିଲେ। ରଥଯାତ୍ରାରେ ଆଇନଶୃଙ୍ଖଳା ସହ ଭିଡ଼ ନିୟନ୍ତ୍ରଣ ଆଦି ପାଇଁ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆଇପିଏସ୍ ଶ୍ରୀ ସିଂ ଉପସ୍ଥିତ ଥିଲେ। ଏହି ବୈଠକରେ ଶ୍ରୀ ସିଂଙ୍କୁ ଆଇଜି (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଭାବେ ସାମିଲ ହୋଇଥିଲେ ବୋଲି ଖୋଦ୍ ଓଡ଼ିଶା ପୁଲିସ ନିଜର ୱେବସାଇଟରେ ଜାରି ପ୍ରେସରିଲିଜରେ ଉଲ୍ଲେଖ କରିଛି ଓ ବୈଠକର ଫଟୋଚିତ୍ର ମଧ୍ୟ ନିଜ ‘ଏକ୍ସ’ରେ ଶେୟାର କରିଛି।
ତେବେ ପ୍ରଶ୍ନ ଉଠୁଛି, ଶ୍ରୀ ସିଂଙ୍କ ଏକମାସ ଛୁଟି ଅବଧି ବୃଦ୍ଧି ଅବା ସେ କାର୍ଯ୍ୟରେ ଯୋଗ ଦେବାନେଇ ତଥ୍ୟ ଗୃହ ବିଭାଗ ପାଖରେ ନାହିଁ କେମିତି? ପୁଲିସ ଡିଜି ଏ ସଂକ୍ରାନ୍ତରେ କିଭଳି ଅବଗତ ନାହାନ୍ତି? କାହାଠୁ ଅନୁମତି ନେଇ ଆଇପିଏସ୍ ଶ୍ରୀ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି ଅବା ନିଜର ଛୁଟି ଅବଧି ବଢ଼ାଇଛନ୍ତି? ପୁଲିସ ଡିଜିଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗ ଦେବାକୁ ଶ୍ରୀ ସିଂଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲା? ଶ୍ରୀ ସିଂଙ୍କୁ ବୈଠକକୁ ଡାକିବା ପୂର୍ବରୁ ସେ କାର୍ଯ୍ୟରେ ଯୋଗଦେଲେଣି କି ନାହିଁ ତାହା କାହିଁକି ଖୋଳତାଡ଼ କରାଗଲାନି? ଯଦି ସେ କାର୍ଯ୍ୟରେ ଯୋଗଦେଇଛନ୍ତି ତା’ହେଲେ ସେ ସଂକ୍ରାନ୍ତ ତଥ୍ୟ ଗୃହ ବିଭାଗକୁ ଲିଖିତ ଆକାରରେ କାହିଁକି ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ଜଣାଇଲା ନାହିଁ? ଏବେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠୁ ଶ୍ରୀ ସିଂ ତାଙ୍କର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି କି? ଯଦି ନୂଆ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ଆଇଜି ଭାବେ ଶ୍ରୀ ସିଂ କାର୍ଯ୍ୟ କରୁଛନ୍ତି ତା’ହେଲେ ଏକଥା ଗୃହ ବିଭାଗର ସଚିବ ଜାଣିଲେ ନାହିଁ କେମିତି? ଯଦି ମୁଖ୍ୟମନ୍ତ୍ରୀ ଜାଣିଥାନ୍ତେ ତା’ହେଲେ ତାଙ୍କ ଅଧୀନରେ ଥିବା ଗୃହ ବିଭାଗ କାହିଁକି ପୁଲିସ ଡିଜିଙ୍କୁ ଚିଠି ଲେଖି ଶ୍ରୀ ସିଂଙ୍କ ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ମାଗିଥାନ୍ତା? ତେଣୁ ଏହି ସମସ୍ତ ପ୍ରକ୍ରିୟା ଏବେ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କ ସନ୍ଦେହଜନକ ଭୂମିକା ଓ ବିଜେଡି ପ୍ରୀତିକୁ ପଦାରେ ପକାଇ ଦେଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତତକାଳୀନ ସୁପର ସିଏମ୍ ଡିଏସ୍ କୁଟ୍ଟେଙ୍କ ଭଡ଼ାଟିଆ ଗୁଣ୍ଡା ସାଜି ରାଜନୀତିକ ବ୍ୟକ୍ତିଙ୍କୁ ଧମକଚମକ ଦେବା କାର୍ଯ୍ୟ ଆଇପିଏସ୍ ଆଶିଷ ସିଂ ହିଁ କରୁଥିଲେ ବୋଲି ଚର୍ଚ୍ଚା ହୁଏ। ଯେଉଁଥିପାଇଁ ସେତେବେଳେ ଶ୍ରୀ ସିଂଙ୍କୁ ଦେଖା କରିବାକୁ ବିଜେଡିର ବିଧାୟକଙ୍କଠୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ଲମ୍ବାଧାଡ଼ି ଲଗାଉଥିଲେ। ଆଜି ଗୃହ ବିଭାଗର ଚିଠି ପରେ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀ ହିଁ ପ୍ରକୃତରେ ଆଶିଷ ସିଂଙ୍କ ଭଳି ଅସାଧୁ ଆଇପିଏସ ଅଫିସରଙ୍କ ସୁରକ୍ଷାଦାତା ସାଜିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କ ଛୁଟି ଅବଧିକୁ କାହା ନିର୍ଦ୍ଦେଶରେ ବାରମ୍ବାର ବୃଦ୍ଧି କରାଯାଉଛି ତାହା ବି ପୁଲିସ ଡିଜିଙ୍କ ଭୂମିକାକୁ ସନ୍ଦେହଘେରକୁ ନେଇଆସିଛି ବୋଲି ସାଧାରଣରେ ଚର୍ଚ୍ଚା।

Leave a Reply

Your email address will not be published. Required fields are marked *