Spread the love

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବା ବେଳେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ହାଇକୋର୍ଟ ଭୁଲ କଲେ, ତା’ହେଲେ ଆମେ କାହିଁକି ରିପିଟ କରିବୁ ବୋଲି ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ତେବେ ଶୁକ୍ରବାର ଏହା ଉପରେ ହାଇକୋର୍ଟ ରୋକ ଲଗାଇ ଦେବା ସହ ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି। ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ପ୍ରାରମ୍ଭିକ ଶୁଣାଣି କରି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ କୌଣସି ଆଶ୍ୱସ୍ତି ଦେଇ ନାହାନ୍ତି। ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ଆଜି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। କିନ୍ତୁ ହାଇକୋର୍ଟଙ୍କ ରୋକ ଆଭିମୁଖ୍ୟକୁ ଏକ ଅସ୍ୱାଭାବିକ ଘଟଣା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚର ବିଚାରପତି ଜଷ୍ଟିସ ମନୋଜ ମିଶ୍ରା ଓ ଜଷ୍ଟିସ ଏସ୍‌ଭି ଭାଟ୍ଟିଙ୍କ ଖଣ୍ଡପୀଠ ଆଜି କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥିଲେ। ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ଓ ବିକ୍ରମ ଚୌଧୁରୀ ଖଣ୍ଡପୀଠଙ୍କୁ କହିଥିଲେ ଯେ ଜାମିନ ଉପରେ ରୋକ ଲଗାଇବା ପୂର୍ବରୁ ହାଇକୋର୍ଟ ବେଲ ଅର୍ଡରକୁ ଅପେକ୍ଷା କରି ନଥିଲେ।

ଯଦି ହାଇକୋର୍ଟ ବେଲ ଅର୍ଡରକୁ ନ ଦେଖି ଜାମିନ ଉପରେ ରୋକ ଲଗାଇ ପାରୁଛନ୍ତି, ତା’ହେଲେ ସର୍ବୋଚ୍ଚ ଅଦାଲତ କାହିଁକି ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇ ପାରିବେ ନାହିଁ ବୋଲି ସିଙ୍ଘଭୀ କହିଥିଲେ।

ଏହା ଶୁଣି ଜଷ୍ଟିସ ମିଶ୍ରା କହିଥିଲେ, “ଯଦି ହାଇକୋର୍ଟ ଗୋଟିଏ ଭୁଲ କରିଛନ୍ତି, ତା’ହେଲେ ଆମେ କାହିଁକି ଏହାର ପୁନରାବୃତ୍ତି କରିବୁ?”

ସିଙ୍ଘଭୀ ପୁଣି କହିଥିଲେ, “ଅନ୍ତରୀଣ ଜାମିନ ମାଧ୍ୟମରେ କାହିଁକି ଖଲାସ କରାଯାଇ ପାରିବ ନାହିଁ? ଆମ ସପକ୍ଷରେ ଗୋଟିଏ ରାୟ ରହିଛି।” ଜଷ୍ଟିସ ମିଶ୍ରା କହିଥିଲେ, “ଯଦି ଆମେ ଏବେ ଗୋଟିଏ ରାୟ ପାସ କରିବୁ, ତା’ହେଲେ ଏହା ଏକ ଆଗୁଆ ବିଚାର କରିବା ପ୍ରସଙ୍ଗ ହୋଇଯିବ। ଏହା କୋର୍ଟଙ୍କ ଅଧିନସ୍ଥ ନୁହେଁ, ଏହା ହାଇକୋର୍ଟଙ୍କ ଉପରେ ରହିଛି।”

Leave a Reply

Your email address will not be published. Required fields are marked *