Spread the love

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଚାଲିଛି। ଏପଟେ ଚାଷୀ ପିଆଜ ଚାଷ ପାଇଁ ଗୁରୁତ୍ବ ଦେଇ ଜୋର୍‌ସୋର୍‌ରେ ପିଆଜ ଅମଳ କରିଚି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ପାଇଁ ସଂରକ୍ଷଣ ବ୍ୟବସ୍ଥା ଯେଉଁ ପରିମାଣରେ ହେବା କଥା ହୋଇ ନାହିଁ। ଜିଲ୍ଲାରେ ୨୦୨୩-୨୪ରେ ୧୫ଟି ପିଆଜ ଗୋଦାମ ରହିଥିବା ବେଳେ ପିଆଜ ଚାଷୀ ପାଇଁ ଏହି ଗୋଦାମରେ ପିଆଜ ରଖିବା ପାଇଁ ଅସୁବିଧା ହେଉଥିବାରୁ ଅଧିକାଂଶ ଗୋଦାମ ବର୍ତ୍ତମାନ ଗୁହାଳ ପାଲଟିଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଜିଲ୍ଲା ଉଦ୍ୟାନ ବିଭାଗ ଏହା ଜାଣି ମଧ୍ୟ ଚୁପ୍‌ ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚଳିତ ବର୍ଷ ଜିଲ୍ଲାର ୫ଟି ଯାକ ବ୍ଲକ୍‌ ନୂଆପଡ଼ା, କୋମନା, ଖଡ଼ିଆଳ, ବୋଡ଼େନ ଓ ସିନାପାଲିରେ ପିଆଜ ଚାଷ କରାଯାଇଛି। ବୋଡ଼େନ ବ୍ଲକ୍‌ରେ ୩୦ ହେକ୍ଟର, ନୂଆପଡ଼ା ବ୍ଲକ୍‌ରେ ୪୦ ହେକ୍ଟର, କୋମନା ବ୍ଲକ୍‌ରେ ୫୦ ହେକ୍ଟର, ଖଡ଼ିଆଳ ବ୍ଲକ୍‌ରେ ୫୦ ହେକ୍ଟର ଓ ସିନାପାଲି ବ୍ଲକ୍‌ରେ ୩୦ ହେକ୍ଟରରେ ପିଆଜ ଚାଷ କରାଯାଇଛି। ୨୦୨୩-୨୪ ବର୍ଷରେ ନୂଆପଡ଼ା ବ୍ଲକ୍‌ରେ ୩ଟି, ଖଡ଼ିଆଳ ବ୍ଲକ୍‌ରେ ୩ଟି, ସିନାପାଲି ବ୍ଲକ୍‌ରେ ୩ଟି, ବୋଡ଼େନ ବ୍ଲକ୍‌ରେ ୨ଟି ଓ କୋମନା ବ୍ଲକ୍‌ରେ ୪ଟି ପିଆଜଘର ନିର୍ମାଣ କରାଯାଇଛି।
ଜିଲ୍ଲାରେ ବର୍ତ୍ତମାନ ଚାଷୀମାନେ ପିଆଜ ଅମଳ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପିଆଜଘରରେ ରଖିବା ପାଇଁ ସେପ୍ରକାର ସୁବିଧାନ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପିଆଜକୁ ଅତି ଶସ୍ତା ଦରରେ ଦଲାଲମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। କିଛି ପିଆଜ ଚାଷୀଙ୍କ କହିବା ଅନୁସାରେ, ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ନିର୍ମିତ ପିଆଜଘରେ ଚାଷୀ ପିଆଜ ଅଧିକ ଦିନ ରଖିଲେ ନଷ୍ଟ ହୋଇଯାଉଛି।
ବିଗତ ବର୍ଷରେ ଚାଷୀମାନେ ଏହି ଘରେ ପିଆଜ ଗଚ୍ଛିତ ରଖିଥିବାରୁ ଚାଷୀଙ୍କ ବହୁ ପିଆଜ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ସେଥିପାଇଁ ଏହି ପିଆଜଘରକୁ କିଛି ଚାଷୀ ଗୁହାଳ କରିଥିବା ଦେଖିବାକୁ ମିଳିଛି। ଏହା ଉପରେ ନୂଆପଡ଼ା ଉଦ୍ୟାନ ବିଭାଗ ଉପନିର୍ଦେଶକ ହରେକୃଷ୍ଣ ଚନ୍ଦ ହାଁସଦା କହିଛନ୍ତି ଯେ, ଜିଲ୍ଲାର ପିଆଜ ଚାଷୀଙ୍କୁ ପ୍ରତିବର୍ଷ ସେମାନଙ୍କ ଅମଳ ହୋଇଥିବା ପିଆଜକୁ ଏହି ଘରେ ରଖି ଠିକ୍ ସମୟ ବିକ୍ରି କରିବାକୁ କହାଯାଇଛି। ହେଲେ ଚାଷୀମାନେ ଗଚ୍ଛିତ ରଖୁନଥିବା ବେଳେ ସେମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ। ଚଳିତ ବର୍ଷ ମଧ୍ୟ ଚାଷୀମାନଙ୍କୁ ଏହି ଘରେ ପିଆଜ ରହିବା ପାଇଁ ସଚେତନ କରାଯାଇଛି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *