Spread the love

ମହାରାଷ୍ଟ୍ର : ଗୋଣ୍ଡିଆ-ବାଲାଘାଟ ରାଜ୍ୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଗରା ଗାଁ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ବୋଲେରୋକୁ ସାମ୍ନାପଟୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ ବର୍ଷର ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ପୋଲିସ ସୂଚନା ମୁତାବକ, ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କିରଣାପୁର ଓ ଲାଞ୍ଜି ତହସିଲ ଅଞ୍ଚଳର ବିଭିନ୍ନ ଗାଁର ଶ୍ରମିକମାନେ ପରିବାର ସହ ଏକ ବୋଲେରୋରେ ତେଲେଙ୍ଗାନାର ହାଇଦ୍ରାବାଦ ଯାଉଥିବା ବେଳେ ଦୁର୍ଘଟଣାର ଶିକାର । ରାତି ପ୍ରାୟ ୧୧ଟା ୩୦ ସମୟରେ ଗାଡ଼ିଟି ଗୋଣ୍ଡିଆ ସହରଠାରୁ ପ୍ରାୟ ୫ କିଲୋମିଟର ଦୂର ନାଗରା ନିକଟରେ ପହଞ୍ଚିବା ବେଳେ ବାଲାଘାଟରୁ ଗୋଣ୍ଡିଆ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଇଥିଲା ।

ଦୁଇ ଗାଡ଼ି ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ପାଇ ଗୋଣ୍ଡିଆ ଗ୍ରାମୀଣ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଡ଼ି ଭିତରେ ଫସି ରହିଥିବା ମୃତକ ଓ ଆହତଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ ବାହାର କରାଯାଇ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ ଆହତ ରାଜେନ୍ଦ୍ର ଶିବଚରଣ ପନ୍ଧାରେଙ୍କ ବୟାନ ଆଧାରରେ ଗୋଣ୍ଡିଆ ଗ୍ରାମୀଣ ପୋଲିସ ଟ୍ରକ୍ ଡ୍ରାଇଭର ମୋହସିନ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ସହ ମୋଟର ଯାନ ଆଇନ ଧାରା ୧୮୪ ଅନୁଯାୟୀ ଅପରାଧ ରୁଜୁ ହୋଇଛି । ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *