Spread the love

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାର ୫୦ ଦିନ ପରେ ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ପାଇ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ତାଙ୍କୁ ଲାଗୁନି ଏହା ସୁପ୍ରିମ୍‌ କୋର୍ଟଙ୍କର ଏକ ନିୟମିତ ରାୟ। ଦେଶରେ ଅନେକ ଲୋକ ଭାବୁଛନ୍ତି ଯେ କେଜ୍ରିୱାଲଙ୍କୁ ‘ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ୍‌’ ମିଳିଛି। ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ ବୁଧବାର ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ଶାହ ଏହି କଥା କହିଛନ୍ତି।
ଯଦି ତାଙ୍କ ଦଳ ସପକ୍ଷରେ ଭୋଟ୍ ପଡ଼ିବ, ତା’ହେଲେ ତାଙ୍କୁ ଆଉ ଜେଲ୍ ଯିବାକୁ ପଡ଼ିବନି ବୋଲି ଆପ୍ ମୁଖ୍ୟ କହୁଥିବା ନେଇ ଅମିତ ଶାହଙ୍କୁ ଏକ ପ୍ରଶ୍ନ କରାଯିବାରେ ସେ କହିଥିଲେ, ମୁଁ ଭାବୁଛି ଏହା ସ୍ପଷ୍ଟ ଭାବେ ସୁପ୍ରିମ କୋର୍ଟଙ୍କ ଅବମାନନା। ସେ କହିବାକୁ ଚାହୁଁଛନ୍ତି ଯେ ଯଦି କେହି ବିଜୟୀ ହୋଇଯିବେ, ତା’ହେଲେ ସେ ଦୋଷୀ ହୋଇଥିଲେ ବି ସୁପ୍ରିମ କୋର୍ଟ ତାଙ୍କୁ ଜେଲ୍ ପଠାଇବେ ନାହିଁ। ଯେଉଁ ବିଚାରପତିମାନେ ତାଙ୍କୁ ଜାମିନ ଦେଇଛନ୍ତି ସେମାନଙ୍କୁ ଭାବିବାକୁ ପଡ଼ିବ ଯେ ସେମାନଙ୍କ ରାୟର କେମିତି ବ୍ୟବହାର ଅବା ଅପବ୍ୟବହାର ହେଉଛି।
କେଜ୍ରିୱାଲ ଦାବି କରିଛନ୍ତି ଯେ ତିହାର ଜେଲ୍‌ରେ ତାଙ୍କୁ ଯେଉଁ ସେଲ୍‌ରେ ରଖାଯାଇଥିଲା ସେଠାରେ ସିସିଟିଭି ଲାଗିଥିଲା ଓ ତା’ର ଏକ ଫିଡ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଦିଆଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ରଖି ଶାହ କହିଥିଲେ, ତିହାର ଜେଲ୍ ଦିଲ୍ଲୀ ସରକାରଙ୍କ ଅଧୀନରେ ଅଛି। ସେ ମିଛ କହୁଛନ୍ତି। ତାଙ୍କୁ ଗୁରୁତ୍ୱର ସହିତ ନିଅନ୍ତୁ ନାହିଁ। ତାଙ୍କ ଦଳ ମାତ୍ର ୨୨ଟି ଆସନରେ ଲଢ଼ୁଛି। କିନ୍ତୁ ସେ ସାରା ଦେଶ ପାଇଁ ବିଦ୍ୟୁତ୍‌ ବିଲ୍‌ରେ ଛାଡ଼ କରିବେ ବୋଲି ଘୋଷଣା କରୁଛନ୍ତି। ୨୨ଟି ଆସନରେ ଲଢ଼ି ସେ କେମିତି ସରକାର ଗଢ଼ିବେ।
ଗତ ସୋମବାର ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଶାହ କହିଥିଲେ, ସେ (ଅରବିନ୍ଦ କେଜ୍ରିୱାଲ) ଆବେଦନ କରିଥିଲେ ଯେ ତାଙ୍କ ଗିରଫଦାରୀ ଭୁଲ୍। ସୁପ୍ରିମ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ତା’ପରେ ସେ ଜାମିନ ମାଗିଥିଲେ। କୋର୍ଟ ତାହାକୁ ବି ଗ୍ରହଣ କରି ନଥିଲେ। ଏହା ପରେ ସେ ପ୍ରଚାର କରିବାକୁ ଅନୁମତି ମାଗିଥିଲେ। ସୁପ୍ରିମ କୋର୍ଟ କିଛି ସର୍ତ୍ତ ସହିତ ତାଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି। ଜୁନ୍ ୨ରେ ତାଙ୍କୁ ତିହାର ଜେଲ୍‌କୁ ଫେରିବାକୁ ପଡ଼ିବ। ଏହା କିପରି ତାଙ୍କ ସପକ୍ଷରେ ଏକ ରୁଲିଂ ହେଲା।

Leave a Reply

Your email address will not be published. Required fields are marked *